ମହାବୀର ହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ
ଆରଡି,(ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନସ୍ଥ କୁଳେଇପଦା ଗାଁ ଶୁକ୍ରବାର ଠାରୁ ଉତ୍ସବ ମୁଖର ହୋଇ ଉଠିଛି । ୫ ଦିନ ଯାଏ ଗାଁରେ ବିଭିନ୍ନ ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଠାରେ ଶ୍ରୀଶ୍ରୀ ହନୁମାନ ମହାପ୍ରଭୁଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାପ୍ରଥମ ବାର୍ଷିକ ଉତ୍ସବ ସହ ମା’ ଖରାଖାଇ ଠାକୁରାଣୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସହ ବିଶ୍ବଶାନ୍ତି ମହାଯଜ୍ଞ ଆଦି ଧାର୍ମିକ କାର୍ଯ୍ୟ ଚାଲୁରହିଛି। ଶନିବାର ୧୦୮ ମହିଳା ବିରାଟ ଶୋଭାଯାତ୍ରାରେ ଦୁଲୁଦୁଲି, ଢୋଲ, ମହୁରୀ, ତେଲିଙ୍ଗି ଆଦି ବାଦ୍ୟର ତାଳେତାଳେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମ ନିକଟରେ ଥିବା ପୂଣ୍ୟତୋୟା ବୈତରଣୀରେ କଳସ ବୁଡାଇ ଥିଲେ। ରବିବାର ପ୍ରଭାତରୁ ମନ୍ଦିର ପରିସରରେ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା । ସୂର୍ଯ୍ୟପୂଜା, ଗୋ ପୂଜା, ଘୃତାହୁତି ଆଦି କାର୍ଯ୍ୟ ସମାପନ କରା ଯାଇଥିଲା I ମଧ୍ଯାହ୍ନରେ ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ପ୍ରାସାଦ ସେବନ କରି ଖୁସି ବ୍ୟକ୍ତ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ବାରା ନୃତ୍ୟ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା | ଗ୍ରାମର ଯୁବକ ସର୍ବେଶ୍ଵର ନାୟକ ଓ ତାଙ୍କ ଧର୍ମପତ୍ନୀ ଏବଂ ପ୍ରଣୟ ଖଟୁଆ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ପୁରୋହିତ ପଣ୍ଡିତ ବସନ୍ତ ଶତପଥୀ,ଅଚ୍ୟୁତାନନ୍ଦ ଶତପଥୀ, ଲମ୍ବୋଦର ପାଢୀ, ବିଚିତ୍ରାନନ୍ଦ ପଣ୍ଡା, ଆକାଶ ପାଢୀ ଶଙ୍କର୍ଷଣ ଦାସ, ମନ୍ତ୍ରଧ୍ଵନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆଉ ୨ ଦିନ ମଧ୍ୟ ଧାର୍ମିକ କାର୍ଯ୍ୟ ସମାପିତ ହେବ । ସୋମବାର ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ଓ ମଙ୍ଗଳ ବାର ଭଜନ ସନ୍ଧ୍ୟା ଓ ଯଜ୍ଞ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଛନ୍ତି


