+୨ ବିଜ୍ଞାନ ଓଡ଼ିଆରେ ପଢ଼ିବା କାର୍ମଶାଳା
ବାଲେଶ୍ୱର, (ଓ୍ବାଇଏନଏସ): ଆଜି ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ “ସ୍ମାର୍ଟ ଓଡିଶା ହାକାଥନ ୩.୦” ଏବଂ “+୨ ବିଜ୍ଞାନ ଓଡ଼ିଆ ରେ ପଢ଼ିବା” କାର୍ମଶାଳା ଅନୁଷ୍ଠିତ ହୋଇଛି । ସର୍ବ ପ୍ରଥମେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ପ୍ରବନ୍ଧ ନିର୍ଦ୍ଦେଶକ, ଆଇ.ଆଇ.ଟି. ଭୁବନେଶ୍ୱର ଶ୍ରୀଯୁକ୍ତ ସାକ୍ୟସିଂହ ମହାପାତ୍ର ଯୋଗ ଦେଇଥିଲେ । ତାଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ପୂର୍ଣ୍ଣିମା ଦାଶ, ଗବେଷଣା ଓ ସାଯୋଜକ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଶ୍ରୀଯୁକ୍ତ ନିରଦ ବରଣ ଖୁଣ୍ଟିଆ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଇନ୍ଦ୍ରଜିତ ପାତ୍ର ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷା, ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୁଶ୍ରୀ ଅପର୍ଣ୍ଣା ସେଠୀ ମଞ୍ଚାସୀନ ଥିଲେ । ଅତିଥି ମାନେ “ସ୍ମାର୍ଟ ଓଡିଶା ହାକାଥନ ୩.୦” ଏବଂ “+୨ ବିଜ୍ଞାନ ଓଡ଼ିଆ ରେ ପଢ଼ିବା” କାର୍ଯ୍ୟ କ୍ରମର ମହତ୍ତ୍ଵ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସୁଶ୍ରୀ ଶ୍ୱେତପଦ୍ମା ସାହୁ ମଞ୍ଚ ପରିଚାଳନା କରିଥିଲେ । “ସ୍ମାର୍ଟ ଓଡିଶା ହାକାଥନ ୩.୦” ପାଇଁ ବାଲେଶ୍ୱର ଜିଲ୍ଳାର ବିଭିନ୍ନ ଅନୁଷ୍ଠାନରୁ ୧୭ ଗୋଟି ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା । ଏଥିରେ ମୋଟ ୩୮ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ତାଙ୍କ ସହିତ ୧୩ ଜଣ ମାର୍ଗଦର୍ଶକ ଶିକ୍ଷକ/ଶିକ୍ଷୟିତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ । ଏଠାରେ ଶ୍ରୀଯୁକ୍ତ ସାକ୍ୟସିଂହ ମହାପାତ୍ର, ଶ୍ରୀଯୁକ୍ତ ବିଶ୍ବରଂଜନ ଚମ୍ପତିରାୟ ଓ ପ୍ରଶାନ୍ତ କୁମାର ତ୍ରିପାଠୀ ବିଚାରକ ଭାବେ ନିୟୋଜିତ ହୋଇଥିଲେ । ୪ ଗୋଟି ପ୍ରକଳ୍ପକୁ ପୁରସ୍କୃତ କରଯାଇଥିଲା । ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଦ୍ଵିତୀୟ ଅଧିବେଶନରେ “+୨ ବିଜ୍ଞାନ ଓଡ଼ିଆ ରେ ପଢ଼ିବା” କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଠାରେ ରିସୋର୍ସ ପର୍ସନ, ଶ୍ରୀଯୁକ୍ତ ନିରଦ ବରଣ ଖୁଣ୍ଟିଆ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ପ୍ରଶିକ୍ଷକ ଭାବେ ମୋଟ ୩୭ ଜଣ ବିଜ୍ଞାନ ଅଧ୍ୟାପକ/ଅଧ୍ୟାପିକା, ଅଧ୍ୟକ୍ଷ/ଅଧ୍ୟକ୍ଷା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।


