ଆଦ୍ୟ ସାମ୍ୱାଦିକ ଦେବର୍ଷି ନାରଦ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ମାନସ ପୁତ୍ର ଓ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଏବଂ ବିଶ୍ୱ ବ୍ରହ୍ମାଣ୍ଡର ଆଦି ସାମ୍ବାଦିକ ତଥା ଭକ୍ତି ସୂତ୍ରର ପ୍ରଣେତା ଅଟନ୍ତି ଦେବର୍ଷି ନାରଦ। ସେ ହିନ୍ଦୁ ପଞ୍ଜିକା ଅନୁସାରେ, ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ସୃଷ୍ଟି ହୋଇଥିଲେ। ତେଣୁ ଉକ୍ତ ଦିନକୁ ନାରଦଙ୍କ ଜନ୍ମୋତ୍ସବ ବା ‘ଆଦି ସାମ୍ବାଦିକ ଦିଵସ ରୂପେ ପାଳନ କରାଯାଏ। କାରଣ ଦେବର୍ଷି ହେଉଛନ୍ତି ବିଶ୍ୱର ପ୍ରଥମ ସାମ୍ବାଦିକ। ଯେ କି ସ୍ୱର୍ଗ, ମର୍ତ୍ତ୍ୟ ଏବଂ ପାତାଳ ଲୋକକୁ ଭ୍ରମଣ କରି ସୂଚନା ଆଦାନ ପ୍ରଦାନ କରୁଥିଲେ। ଯା’ର ମୂଳ ଲକ୍ଷ୍ୟ ଥିଲା ସତ୍ୟର ଉନ୍ମୋଚନ କରିବା। ସେ ଏପରି ଏକ ବ୍ୟକ୍ତିତ୍ୱ ଯେ – ଦେବତା, ଅସୁର ଏବଂ ମନୁଷ୍ୟ ସମସ୍ତଙ୍କର ସମାନ ଭାବରେ ପୂଜ୍ୟ ଥିଲେ । ନାରଦ ସର୍ଵଦା ହାତରେ ବୀଣା ବଜାଇ ଭଗବାନଙ୍କ ଗୁଣଗାନ କରୁଥିଲେ । ତାଙ୍କର ପ୍ରତିଟି କାର୍ଯ୍ୟ ପଛରେ ସଂସାରର କଲ୍ୟାଣ ସୂତ୍ର ଲୁଚି ରହୁଥିଲା। ସେ ହିଁ ଧ୍ରୁବ ଏବଂ ପ୍ରହଲ୍ଲାଦଙ୍କ ଭଳି ଶିଶୁଙ୍କୁ ଭକ୍ତିର ମାର୍ଗ ଦେଖାଇ, ଶ୍ରେଷ୍ଠ ଭକ୍ତ କରିବାରେ ଶ୍ରେୟ ପାଇଛନ୍ତି।

ଦେବର୍ଷି ନାରଦ ସର୍ବଶାସ୍ତ୍ର ବିଶାରଦ ଥିଲେ ମଧ୍ୟ ଭକ୍ତିକୁ ପ୍ରାଧାନ୍ୟ ଦେଇଛନ୍ତି। କାରଣ କଳିଯୁଗରେ କେବଳ ଭକ୍ତି ଦ୍ୱାରା ହିଁ ଭଗବାନଙ୍କ ନାମ ସ୍ମରଣ, କୀର୍ତ୍ତନ ଓ ଭଜନ ସମ୍ଭବପର। ଯାହା ଫଳାରେ ମନୁଷ୍ୟ ସମସ୍ତ ପାପରୁ ମୁକ୍ତି ପାଇପାରିବ। ଏହାକୁ ଦୃଷ୍ଟିରେ ରଖି ସେ ଭକ୍ତି ସୂତ୍ର ରଚନା କରିଥିଲେ। ଯାହାକୁ ନାରଦୀୟ ଭକ୍ତି ସୂତ୍ର କୁହାଯାଏ। ଏଥିରେ ୮୪ଟି ସୂତ୍ରକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି।ଯେପରି ଭକ୍ତିର ସଂଜ୍ଞା, ଅର୍ଥାତ୍ ଭକ୍ତି କ’ଣ ଏବଂ ଏହାର ସ୍ୱଭାବ କିପରି, ସେ ବିଷୟରେ ପ୍ରଥମ ସୂତ୍ର ଠାରୁ ୨୪ତମ ସୂତ୍ର ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇଛି। ସେଥିମଧ୍ୟରୁ ଗୋଟିଏ ସୂତ୍ର ହେଉଛି: “ସା ତୁ ନ କାମୟମାନା, ନିରୋଧରୂପତ୍ୱାତ୍ ॥ ” ଅର୍ଥାତ୍ ପ୍ରକୃତ ଭକ୍ତି କେବେ ବି କୌଣସି ପ୍ରକାରର କାମନା ବା ସ୍ୱାର୍ଥ ରଖେ ନାହିଁ। ଏହା ସମସ୍ତ ପାର୍ଥିବ ଇଚ୍ଛାର ରୂପକୁ ଅବରୋଧ କରିଥାଏ। କାମନାର ଅର୍ଥ କିଛି ପାଇବା। ଯେଉଁଠି ସ୍ୱାର୍ଥ ଥାଏ, ସେଠି ପ୍ରେମ ବା ଭକ୍ତି ଉପୁଜେ ନାହିଁ। ସଧାରଣ ମଣିଷ ସାଧାରଣତଃ ଭଗବାନଙ୍କୁ କିଛି ମାଗିବା ପାଇଁ ପୂଜା କରିଥାଏ। ପରନ୍ତୁ ନାରଦଙ୍କ ମତରେ, ଭଗବାନଙ୍କୁ କେବଳ ଭଗବାନଙ୍କ ପାଇଁ ଭଲ ପାଇବା ହିଁ ପ୍ରକୃତ ଭକ୍ତି। ସେ’ପରି “ତସ୍ମିନ୍ନନନ୍ୟତା ତଦ୍‌ବିରୋଧିଷୂଦାସୀନତା ଚ ॥” ଏହାର ଅର୍ଥ ହେଉଛି ଜଣେ ଭକ୍ତ ନିଜ ମନକୁ କେବଳ ଈଶ୍ୱରଙ୍କଠାରେ କେନ୍ଦ୍ରିତ କରିବା ସହ ସଂସାରର ମାୟା ବା ବିବାଦରୁ ନିଜକୁ ଦୂରେଇ ରଖିବା। ତା’ସହିତ ଭକ୍ତି ମାର୍ଗରେ ବାଧା ସୃଷ୍ଟି କରୁଥିବା ବିଷୟ ପ୍ରତି ଉଦାସୀନ ରହିବା ହିଁ ଭକ୍ତି। ସେ’ପରି ଭକ୍ତିର ଶ୍ରେଷ୍ଠତା, ଏଥିରେ ଅନ୍ୟ ସାଧନା ମାର୍ଗ ଅପେକ୍ଷା ଭକ୍ତି କାହିଁକି ଉତ୍ତମ,ତାହା ୨୫ ସୂତ୍ର ଠାରୁ ୩୩ ସଂଖ୍ୟା ସୂତ୍ର ଯାଏଁ ଦର୍ଶାଯାଇଛି। ସୂତ୍ର ସଂଖ୍ୟା ୩୪ ଠୁ ୫୦ ମଧ୍ୟରେ ଭକ୍ତିର ବିକାଶ- ଯାହା ସତ୍‌ସଙ୍ଗ ଏବଂ କୁସଙ୍ଗ ତ୍ୟାଗ କରି କିପରି ଭକ୍ତି ବଢ଼ାଯାଇପାରିବ, ସେ ବିଷୟରେ କୁହାଯାଇଛି ଏବଂ ସୂତ୍ର ୫୧ ଠାରୁ ୮୪ ସଂଖ୍ୟା ପର୍ଯ୍ୟନ୍ତ ଭକ୍ତିର ପ୍ରକାର ଅର୍ଥ , ଯାହା ଗୌଣ ଓ ମୁଖ୍ୟ ଉପରେ କୁହାଯାଇଛି। ସେଥି ମଧ୍ୟରୁ ଭକ୍ତିର ସହଜତା ଉପରେ ବର୍ଣ୍ଣିତ ହୋଇଛି ଯେ, “ଅନ୍ୟସ୍ମାତ୍ ସୌଲଭ୍ୟଂ ଭକ୍ତୌ “। ଅର୍ଥାତ୍ ଅନ୍ୟ ସମସ୍ତ ସାଧନା (ଯଥା: କଠୋର ତପସ୍ୟା ବା ଜ୍ଞାନ ମାର୍ଗ) ତୁଳନାରେ ଭକ୍ତି ମାର୍ଗ ସବୁଠାରୁ ସହଜ ବା ସୁଲଭ ଅଟେ। କାରଣ ଭଗବାନଙ୍କୁ ପାଇବା ପାଇଁ ବଡ଼ ପଣ୍ଡିତ ହେବା କିମ୍ବା ବଣ ଜଙ୍ଗଲକୁ ଯାଇ କଷ୍ଟ କରିବା ଆବଶ୍ୟକତା ନାହିଁ। କେବଳ ଦେବର୍ଷି ନାରଦଙ୍କ ଦ୍ଵାରା କଥିତ ଭକ୍ତିର ୧୧ଟି ବିଭିନ୍ନ ରୂପ ବା ଆସକ୍ତି (ଯଥା: ଗୁଣମାହାତ୍ମ୍ୟ ଆସକ୍ତି ଓ ସଖ୍ୟ ଆସକ୍ତି) ବିଷୟରେ ଜ୍ଞାତ ହୋଇଗଲେ ମନୁଷ୍ୟ ମୁକ୍ତି ଲାଭ କରି ପାରିବ। ସେହି ଭକ୍ତିର ୧୧ଟି ବିଭିନ୍ନ ରୂପ ହେଉଛି: ୧.ଗୁଣମାହାତ୍ମ୍ୟାସକ୍ତି ( ଭଗବାନଙ୍କ ଗୁଣ ଓ ମାହାତ୍ମ୍ୟକୁ ଗାନ କରିବା ପାଇଁ ଭଲ ଲାଗିବା), ୨. ରୂପାସକ୍ତି ( ପ୍ରଭୁଙ୍କର ସୁନ୍ଦର ରୂପକୁ ଚିନ୍ତନ କରିବା), ୩. ପୂଜାସକ୍ତି (ତାଙ୍କୁ ସର୍ବଦା ପୂଜା କରିବାର ଇଚ୍ଛା ଜନ୍ମିବା), ୪.ସ୍ମରଣାସକ୍ତି (ସବୁବେଳେ ତାଙ୍କ ନାମ ସ୍ମରଣ କରିବା), ୫. ଦାସ୍ୟାସକ୍ତି ( ନିଜକୁ ଭଗବାନଙ୍କର ଦାସ ବୋଲି ମନେ କରିବା ), ୬. ସଖ୍ୟାସକ୍ତି (ଭଗବାନଙ୍କୁ ଜଣେ ବନ୍ଧୁ ଭାବେ ଗ୍ରହଣ କରିବା) , ୮.କାନ୍ତାସକ୍ତି (ପ୍ରିୟତମ ଭାବେ ଭଲ ପାଇବା), ୯. ବାତ୍ସଲ୍ୟାସକ୍ତି (ସନ୍ତାନ ଭାବେ ସ୍ନେହ କରିବା), ୧୦. ଆତ୍ମନିବେଦନାସକ୍ତି ( ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେବା) ଓ ୧୧. ତନ୍ମୟାସକ୍ତି ( ସବୁଠି ଭଗବାନଙ୍କୁ ହିଁ ଦେଖିବା) ।

ଦେବର୍ଷି ନାରଦଙ୍କ ନାମାନୁଯାୟୀ ଏକ ପୁରାଣ ବି ରହିଛି। ଯାହା ଅଷ୍ଟାଦଶ ପୁରାଣର ଅନ୍ତର୍ଗତ। ଏହି ପୁରାଣରେ ଦେବର୍ଷି ନାରଦ ଏବଂ ଚାରି କୁମାରଙ୍କ ମଧ୍ୟରେ ହୋଇଥିବା ସତ୍ସଙ୍ଗ ଉପରେ ବର୍ଣ୍ଣନା କରାଯାଇଛି । ଏଥିରେ ଧର୍ମ, ଭକ୍ତି, ଏବଂ ମୋକ୍ଷ ପ୍ରାପ୍ତିର ସହଜ ମାର୍ଗ ବିଷୟରେ ମଧ୍ଯ କୁହାଯାଇଛି । ଏହା ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ: ‘ପୂର୍ବ ଭାଗ’ ଏବଂ ‘ଉତ୍ତର ଭାଗ’ । ପୂର୍ବ ଭାଗରେ ବ୍ରହ୍ମାଣ୍ଡର ସୃଷ୍ଟି, ବେଦାଙ୍ଗ ଏବଂ ଶାସ୍ତ୍ରର ବର୍ଣ୍ଣନା ଥିବାବେଳେ ଉତ୍ତର ଭାଗରେ ବିଭିନ୍ନ ତୀର୍ଥସ୍ଥାନର ମହିମା ବର୍ଣ୍ଣିତ ହୋଇଛି। ଏହି ପୁରାଣ ଅନୁଯାୟୀ, କଳିଯୁଗରେ କେବଳ ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ ଏବଂ ଭକ୍ତି ଦ୍ୱାରା ହିଁ ମନୁଷ୍ୟ ସମସ୍ତ ପାପରୁ ମୁକ୍ତି ପାଇପାରିବ।ତତ୍ସହିତ ଏଥିରେ ଏକାଦଶୀ ବ୍ରତର ବିଶେଷ ମହିମା ମଧ୍ୟ ଗାନ କରାଯାଇଛି । ଦେବର୍ଷି ନାରଦଙ୍କ “ମୁଖ୍ୟ ମନ୍ତ୍ର ହେଉଛି “ଓଁ ନମୋ ନାରାୟଣାୟ”। ଏହା ଦେବର୍ଷିଙ୍କ ପ୍ରାଣ ଠାରୁ ମଧ୍ୟ ଅଧିକ ପ୍ରିୟ ମନ୍ତ୍ର ଅଟେ ।

ଖମ୍ବେଶ୍ୱରୀ ପାଟଣା
ଆସିକା, ଗଞ୍ଜାମ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ