ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ

ନବରଙ୍ଗପୁର,(ୱାଇଏନଏସ):ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ ଏବଂ ଶୁଭଉଦଘାଟନ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡା ଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ସେତୁବନ୍ଧ ଯୋଜନା,ପାନୀୟ ଜଳ ଯୋଗାଣ ପ୍ରକଳ୍ପ,ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଶୁଭ ଉଦଘାଟନ କରିଛନ୍ତି। ମନ୍ତ୍ରୀ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତ ପାଇଁ ୧୪୯ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ।ଏହି ପ୍ରକଳ୍ପ ଦ୍ୱାରା ୧୦୦ ଟି ଗ୍ରାମର ୩୮୬୦୯ ଗୋଟି ପରିବାରଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ।ମୁଖ୍ୟ ଅତିଥିଙ୍କ କରକମଳରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଭାଗ ୧ ଓ ୨ ର ୨୬୭ କୋଟି ୨୭ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୩୨ଟି ରାସ୍ତା ଓ ୪ଟି ସେତୁବନ୍ଧ ର ଶିଳାନ୍ୟାସ କରାଯାଇଥିଲା।ପଞ୍ଚାୟତିରାଜ ବିଭାଗ ର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ୨୯ କୋଟି ୧୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୭୧୮ ଗୋଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ ମନ୍ତ୍ରୀ।ରାଇଘର ପଞ୍ଚାୟତ ସମିତି ଜଳଜୀବନ ଅନ୍ତର୍ଗତ ୨ ଟି ପ୍ରକଳ୍ପ ୭ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଛତାବେଡା ଓ ଦେଓଭରାଣ୍ଡି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଙ୍କ ସମେତ ସାଂସଦ ଲୋକସଭା ବଳଭଦ୍ର ମାଝୀ, ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ବିଧାୟକ ଝରିଗାଁ ନରସିଂହ ଭତରା,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ,ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ତେନ୍ତୁଳିଖୁଣ୍ଟି ବ୍ଲକ ଅଧକ୍ଷ ନୀଳାଦ୍ରି ନାୟକ,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋୟୀ ,ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ଇଞ୍ଜିନିୟର ଇନ ଚିଫ ରତ୍ନାକର ସିଆଲ ଉପସ୍ଥିତ ଥିଲେ। ଲମତାଗୁଡା ରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟ ଅତିଥି ପ୍ରଥମେ ଡି ଆଇ ଇ ଟି ନିକଟସ୍ତ କୋଇଗୁଡ଼ା ଠାରେ ବଣିଆ,ଚିଲିଗୁଡ଼ା ଓ ମାଲିଗୁଡ଼ା ଦେଇ ୨୦ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ମୁଖ୍ୟ ମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଗତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଲମତାଗୁଡ଼ା ଠାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପଞ୍ଚାୟତ ସହାୟତା ଓ ବ୍ୟାଙ୍କିଙ୍ଗ ସେବା କେନ୍ଦ୍ର କୁ ଉଦଘାଟନ କରିଥିଲେ। ଫଟାଗୁଡା ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଫଟାଗୁଡା ଠାରୁ ପଣସଡୁକା ପର୍ଯ୍ୟନ୍ତ ୩୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ରାସ୍ତାର ଶିଳାନ୍ୟାସ କରିଥିଲେ ଏବଂ ଦେଓପାଲି ଡ୍ୟାମ ପରିଦର୍ଶନ କରିଥିଲେ। ଅନୁଷ୍ଠିତ ସଭାରେ ମନ୍ତ୍ରୀ ନିଜ ବକ୍ତବ୍ୟରେ ଜିଲ୍ଲାର ଭିତ୍ତିଭୂମି ବିକାଶ,ପାନୀୟଜଳ ଯୋଗାଣ,ଗମନାଗମନ,ଅନ୍ତୋଦୟ ଗୃହ ଯୋଜନା,ନୂତନ ମେଡିକାଲ କଲେଜ ନିର୍ମାଣ,ରେଳ ଯୋଗାଯୋଗ,ପର୍ଯ୍ୟଟନ ସ୍ଥଳୀର ବିକାଶ ,ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ,ଆୟୁଷ୍ମାନ କାର୍ଡ ଦ୍ୱାରା ସ୍ୱାସ୍ଥ୍ୟ ସେବାକୁ ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାକୁ ଏକ ମଡେଲ ଜିଲ୍ଲା ଭାବେ ପ୍ରତିପାଦନ କରିବାରେ ପ୍ରୟାସ ଜାରି ରହିଛି ବୋଲି କହିଥିଲେ। ସାଂସଦ ଏବଂ ବିଧାୟକ ଗଣ ନିଜ ବକ୍ତବ୍ୟରେ ଜିଲ୍ଲାର ବିକାଶ ଓ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ସହ ଲୋକଙ୍କ ସହଭାଗିତାକୁ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସଭାରେ ଅନ୍ତୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ଙ୍କୁ ପ୍ରୋତ୍ସାହନ ରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ।ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ,ଜନ ପ୍ରତିନିଧି,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଜିଲ୍ଲା ପଞ୍ଚାୟତି ରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଜଳ ଓ ପରିମଳ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ