ଆଇଆଇସି କମ୍ପଲେକ୍ସ ନିର୍ମାଣରେ ଅନିଶ୍ଚିତତା : ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉଦ୍ବେଗ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ନୃତ୍ୟସଂଗୀତ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଦାମୋଦର ନାୟକ ଆଲୋଚନାର ବିଷୟ ଓ ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ। ବାଲେଶ୍ୱରରେ ଜରାନିବାସ ଓ ପୁନର୍ବାସ କେନ୍ଦ୍ର ବା ଇଣ୍ଟିଗ୍ରେଟେଡ୍ ଇନ୍ଫ୍ରାଷ୍ଟ୍ରକ୍ଚର କମ୍ପେ୍ଲକ୍ସ (ଆଇଆଇସି) ପାଇଁ ନିର୍ଦ୍ଧାରିତ ସ୍ଥାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁପଯୁକ୍ତ ଆଳରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନାମରେ ଦିଆଯାଇଥିବା ୨୦ ଏକର ଜମିର ପଟ୍ଟାକୁ ସରକାର ରଦ୍ଦ କରିଥିବାର ଶ୍ରୀ ନାୟକ ଜଣାଇଥିଲେ। ରେମୁଣା ତହସିଲ ଅଧିନସ୍ଥ ଦହପଡ଼ା ମୌଜାରେ ଉନ୍ନତ ଯୋଜନାଯୋଗ୍ୟ ଜମିକୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ଜମିକୁ ଉପଯୁକ୍ତ ଦର୍ଶାଇ ଗତ ୨୦୨୧ ମସିହାରୁ ପଟ୍ଟା ପ୍ରଦାନ କରିଥିଲେ। ଏହି ବହୁମୁଖି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଅସହାୟ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ୩ୟ ଲିଙ୍ଗୀ ଓ ମାନସିକ ବିକୃତମାନେ ଏଠାରେ ଆଶ୍ରୟ ନେବେ ଏବଂ ସେମାନଙ୍କୁ ସରକାର ସହାୟତା କରିବେ। ଏହି ପ୍ରକଳ୍ପ ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ବାଲେଶ୍ୱରରେ ଉକ୍ତ ପ୍ରକଳ୍ପ ନିର୍ମାଣ ଅନିଶ୍ଚିତା ମଧ୍ୟକୁ ଚାଲିଯାଇଥିôାର ଜଣା ପଡ଼ିଥିଲା। ଉପରୋକ୍ତ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଦୀପ ଚାଟାର୍ଜୀ, ବିଷ୍ଣୁ ମହାନ୍ତି, କହ୍ନେଇ ପ୍ରଧାନ, ପୁଷ୍ପଲତା ମହାନ୍ତି, ମଧୁସୂଦନ ଜେନା, ଅଜୟ ନାୟକ, ପୁରୁଷୋତ୍ତମ କମିଳା, ରେଣୁବାଳା ଦାସ, ଅନୁସୟା ନାୟକ, ପ୍ରଫୁଲ୍ଲ ଦାସ, ଗୌରସାଧନ ମିଶ୍ର, ସଞ୍ଜୟ ପଣ୍ଡା, ଭବେଶ ପଣ୍ଡା, ଗୋପୀନାଥ ଦାସ, ସୁରେନ୍ଦ୍ର ନାୟକ, ରବିନାରାୟଣ ଭୋଳ, ଗୋବିନ୍ଦ ମାଝୀ, ଅକ୍ଷୟ ତ୍ରିପାଠୀ, ସନ୍ତୋଷ ବେହେରା, ଦେବବ୍ରତ ପାଣିଗ୍ରାହୀ, ବିପ୍ଳବ କୁମାର ମହାନ୍ତି, ସନ୍ତୋଷ ସାହୁ, ସତ୍ୟାନନ୍ଦ ପାତ୍ର, ଗୌରପ୍ରିୟ ମିଶ୍ର, ଅର୍ଚ୍ଚନା ନନ୍ଦୀ ଓ ବାଲେଶ୍ୱର ଓକିଲ ସଂଘର ସଭାପତି ମନୋଜ ନାୟକ ପ୍ରମୁଖ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ଦୃଢ଼ସମାଲୋଚନା କରିଥିଲେ। ବାଲେଶ୍ୱରର ସାଂସଦ ଓ ସ୍ଥାନୀୟ ବିଧାୟକମାନଙ୍କୁ ବରିଷ୍ଠ ନାଗରିକମାନଙ୍କର ଏହି ଉଦ୍ବେଗ ସଂପର୍କରେ ଜଣାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ମଞ୍ଚର ବରିଷ୍ଠ ଉପଦେଷ୍ଟା କମଳାକାନ୍ତ ବେହେରା ଓ ଗିରୀଶ ଚନ୍ଦ୍ର ଦାଶ ମଞ୍ଚର ଏହି ଅଭିଯୋଗ ସଂପର୍କରେ ବାଲେଶ୍ୱର ଜିଲ୍ଲାପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପୂର୍ବନିର୍ଦ୍ଧାରିତ ସ୍ଥାନରେ ଆଇଆଇସି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ମତାମତ ଦେଇଥିଲେ। ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ଆସନ୍ତା ତିନିବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ବରିଷ୍ଠ ଉପସଭାପତି ସୀତାରାମ ପ୍ରଧାନ ଆଗତ କରିବାପରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ସଭାକାର୍ଯ୍ୟ ଆରମ୍ଭରେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇଥିଲେ। ମଞ୍ଚର ବରିଷ୍ଠ ସଦସ୍ୟ ଭଗବାନ ରାଉତଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ମଞ୍ଚର କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଘୋଷ ଧନ୍ୟବାଦ ଦେଇଥିଲେ।


