ବାଲି ଗାଡି ଜବତ: ୯ ଗିରଫ
ହାଟଡିହି (ଓ୍ବାଇଏନଏସ): ଦୈନନ୍ଦିନ ବୈତରଣୀ ନଦୀର ବିଭିନ୍ନ ଘାଟରୁ ବାଲି ଲୁଟର ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନ ମୁଡ଼କୁ ଆସିଛି ପୋଲିସ। କେନ୍ଦୁଝର ଏସ.ପି ଙ୍କ ନିର୍ଦେଶରେ ଆନନ୍ଦପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଏଥିରେ ୧୧ଟି ହାଇୱା, ୪ଟି ପ୍ରୋକଲିନ ମେସିନ ଜବଦ କରିବା ସହିତ ମୋଟ ୧୬ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଥିବା ଆନନ୍ଦପୁର ଏସ୍ଡ଼ିପିଓ କମଳ ପଣ୍ଡା ସୂଚନା ଦେଇଛନ୍ତି। ନନ୍ଦିପଦା ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ନେତୃତ୍ୱରେ ନନ୍ଦିପଦା ଥାନା ପୋଲିସ ଓ ସ୍ପେଶିଆଲ୍ ସ୍କ୍ୱାର୍ଡ ବୈତରଣୀ ନଦୀର ବିଭିନ୍ନ ଘାଟ ଉପରେ ମିଳିତ ଚଢାଉ କରିଥିଲେ। ବିଲମ୍ବିତ ରାତିରେ ଚଢ଼ାଉ ବେଳେ ବେନିୟମ ବାଲି ପରିବହନ କରୁଥିବା ୫ଟି ଚୋରା ବାଲି ବୋଝେଇ ହାଇୱାକୁ ଜବଦ କରିବାରେ ସଫଳ ହୋଇଥିଲା। କିନ୍ତୁ ଏହି ସମୟରେ କିଛି ଯୁବକ ଯେଉଁମାନେ କି ବାଲି ଗାଡିକୁ ସୁରକ୍ଷା ଯୋଗାଉ ଥିଲେ ସେହି ଯୁବକ ମାନେ ପୋଲିସର କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ପୋଲିସ ଗାଡ଼ିକୁ ଟେକା ପଥର ଫିଙ୍ଗି ଥିଲେ। ପୋଲିସ ଏହି ଘଟଣାରେ ୧୪ ଜଣଙ୍କୁ ଉଠାଇ ଆଣି ପଚରା ଉଚୁରା କରୁଥିବା ବେଳେ ଡ଼ିମିରିଆ ଗ୍ରାମର ରାଧା ମୋହନ ବାରିକ, ପ୍ରହ୍ଲାଦ ବାରିକ, ଲିଟୁ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ବାରିକ, ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ଅଜୟ ଜେନା, ଅଣା ଗ୍ରାମର ସୋମନାଥ ରାଜ, ଭଦ୍ରକ ଜିଲ୍ଲା ଅସୁରା ଗ୍ରାମର ସୁଧିର ଘଡେଇ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ବୋଡ଼କ ମହାଯିବ ଗ୍ରାମର ଶଙ୍କର୍ଷଣ ଜେନା ପ୍ରମୁଖ ୯ଜଣଙ୍କୁ ଗିରଫ କରିଛି। ଏନେଇ ୬ଟି ମାମଲା ରୁଜୁ କରିବା ସହ ଭାରତୀୟ ନ୍ୟାୟ ସଂହିତା ଧାରା ୧୯୧(୨), ୧୯୧(୩), ୧୨୬(୨), ୧୦୯, ୧୩୨, ୧୨୧(୧), ୨୨୧, ୨୯୬, ୩୫୧(୩), ୧୯୦ ଏବଂ ଓଡ଼ିଶା ମାଇନିଙ୍ଗ ରୁଲ୍ ଧାରା ୫୧(୧) ରେ ୬ଟି ମାମଲା ରୁଜୁ କରିଛି।


