ଧବଳେଶ୍ୱର ପୀଠରେ ସୋମନାଥ ସ୍ୱାଭିମାନ ପର୍ବ
କଟକ (ଓ୍ବାଇଏନଏସ): ଗୁଜରାଟର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆଜି ବାବା ଧବଳେଶ୍ୱରଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ସୋମନାଥ ମନ୍ଦିରରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବିଶେଷ ପୂଜାର୍ଚ୍ଚନା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ମନ୍ଦିର ଚୂଡାରେ ବିଶେଷ ସମର୍ପଣ କରିଥିଲେ । ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା ଦିଗରେ ଏହି କାର୍ଯ୍ୟକ୍ରମ ଏକ ସଶକ୍ତ ବାର୍ତା ପ୍ରଦାନ କରିଛି । ସିଧା ପ୍ରସାରଣ ସମୟରେ ଧବଳେଶ୍ୱର ପୀଠ ପରିସର ଭକ୍ତିମୟ ଜୟଧ୍ୱନି, ହର ହର ମହାଦେବ ଧ୍ୱନି ଓ ଶୈବ ପରମ୍ପରାର ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା । ଏହି ଅବସରରେ କଟକ ଜିଲ୍ଳା ବିଜେପି ସଭାପତି ଶ୍ରୀ ରାମ ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଳାପାଳ ଆଠଗଡ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ଶ୍ରଦ୍ଧାର ସହ ଦେଖିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ର।।ସନିକ ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ । ବଡ ପରଦାରେ ସୋମନାଥ ମନ୍ଦିରର ଏହି ପୂଜାଚ୍ଚାନା ଦେଖି ଉପସ୍ଥିତ ଶ୍ରଦ୍ଧାଳୁ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ । କାର୍ଯ୍ୟକ୍ରମରେ ଆଠଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା, ସହକାରୀ ଜିଲ୍ଳାପାଳ ଶ୍ରୀ ମାନସ କୁମାର ବେହେରା, ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରବୀନ୍ଦ୍ର ସରକାର, ଭାରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


