ସେବା ସଂକଳ୍ପ ଅଭିଯାନ-୨୦୨୬
ନାଉଗାଁ(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପରିସରରେ ଶନିବାର ସେବା ସଂକଳ୍ପ ଅଭିଯାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ବିଡିଓ ନିରଞ୍ଜନ ପରିଡ଼ାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରୋଦ କୁମାର ସାହୁ, ବ୍ଲକ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର, ସିଡିପିଓ ସ୍ୱପ୍ନା ମହାପାତ୍ର ଓ ଏବିଡିଓ ଦିନେଶ ରାୟ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ତଥା ଜନହିତକାରୀ ଯୋଜନା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ବିଭାଗ ପକ୍ଷରୁ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କିତ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ସମନ୍ୱିତ ଶିଶୁ ବିକାଶ ସେବା ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ପ୍ରକାର ପିଠା ଓ ହସ୍ତନିର୍ମିତ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଅଭିଯାନରେ ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଦାଖଲ କରିଥିଲେ। ମୋଟ ପ୍ରାୟ ୩୦୦ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୨୪୦ଟି ଘର ସମ୍ପର୍କିତ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ବିଧାୟକ ଦାସ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ତ୍ୟୋଦୟ ଆବାସ ଗୃହ ନିର୍ମାଣ ଶେଷ କରିଥିବା ଦୁଇଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ନୂତନ ରାସନ କାର୍ଡ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଏବଂ ନୂତନ ଭତ୍ତା ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ସମ୍ପର୍କିତ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ର, ଜିପିଡିଓ ଜିତେନ୍ଦ୍ର କୁମାର ପରିଜା, ଯୋଗାଣ ନିରୀକ୍ଷକ ପ୍ରଦୀପ ପ୍ରସନ୍ନ ନାୟକ, ଭାରପ୍ରାପ୍ତ ବିଏସଏସଓ ସ୍ୱାଗତ ରଞ୍ଜନ ଦାସ, ବିଆରସି ସୁବାସ ରାଉତ, ବିପିସି ମାନସ ଜେନା, ବିପିଏ ଅଜିତ ସାହୁ, ବ୍ଲକ କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ ଓ ଯୋଗାଣ ବିଭାଗର ଡିଇଓ କାର୍ତ୍ତିକ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।


