ନାଟ୍ୟୋତ୍ସବର ସେମିଫାଇନାଲ ଶେଷ: ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୦ ଦଳ ମନୋନୀତ

କଟକ, (ଓ୍ବାଇଏନଏସ): ମଞ୍ଚ ଉପରେ ଯୁବ ପ୍ରତିଭାଙ୍କ ଅଭିନୟ, ସୃଜନଶୀଳତା ଓ ନାଟ୍ୟକଳାର ନିଆରା ପ୍ରଦର୍ଶନରେ ଚାରିଦିନ ଧରି ଚଳଚଞ୍ଚଳ ଥିବା କଟକ ନାଟ୍ୟୋତ୍ସବର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ନେତାଜୀ ସଂସ୍କୃତି ଭବନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନାଟ୍ୟଦଳ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ମଞ୍ଚରେ ଭିନ୍ନ ଭିନ୍ନ ସାମାଜିକ ଓ ସମସାମୟିକ ବିଷୟକୁ ନାଟକ ମାଧ୍ୟମରେ ଜୀବନ୍ତ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ଟି ଦଳ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ସ୍ଥାନ ପାଇଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବ ନାଟ୍ୟ ପ୍ରତିଭାଙ୍କୁ ଏକ ବଡ଼ ମଞ୍ଚ ଦେବା ଉଦ୍ଦେଶ୍ୟରେ ଏହି ଆୟୋଜନ କରାଯାଇଥିଲା। ଉତ୍ସବର ଶେଷ ଦିନରେ ମଧ୍ୟ ମଞ୍ଚରେ ଭିନ୍ନ ସ୍ୱାଦର ନାଟକ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସି ଆଣ୍ଡ ଟେକ୍ନୋଲୋଜି, ସାଲେପୁରର ‘ଶକ୍ତି ସ୍ୱରୂପିଣୀ’ରେ ନାରୀର ସଂଘର୍ଷ ଓ ସାମର୍ଥ୍ୟର କଥା ଉଠିଥିବାବେଳେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ‘ଫେରିଆ ବୋଇତ ସପନ ନେଇ’ କଟକର ବାଲିଯାତ୍ରାର ଐତିହ୍ୟ, ଭାଇଚାରା ଓ ସଂସ୍କୃତିର ଚିତ୍ର ଆଙ୍କିଥିଲା। ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ‘ବୋଉ’ ନାଟକ ମା’ର ତ୍ୟାଗ ଓ ମମତାର ଭାବନାକୁ ଦର୍ଶକଙ୍କ ନିକଟରେ ରଖିଥିଲା। ଶେଷ ପ୍ରଦର୍ଶନରେ ଜେ.କେ.ବି.କେ. ମହାବିଦ୍ୟାଳୟର ‘ଛବିଟା ସତ ନଥିଲା’ ମଣିଷର ସମ୍ପର୍କ, ପରିବାର ଓ ସାମାଜିକ ଜୀବନର ଭାବପ୍ରବଣ ଦିଗକୁ ନେଇ ମଞ୍ଚସ୍ଥ ହୋଇଥିଲା। ଚାରିଦିନରେ ମୋଟ ୧୩ଟି ଦଳ ଅଭିନୟ, ନିର୍ଦ୍ଦେଶନା, ସଂଳାପ, ସଙ୍ଗୀତ ଓ ମଞ୍ଚସଜ୍ଜାରେ ନିଜର କଳାନୈପୁଣ୍ୟ ଦେଖାଇଥିଲେ। ନାଟ୍ୟ ବିଶେଷଜ୍ଞ ଓ ବିଚାରକମଣ୍ଡଳୀଙ୍କ ମୂଲ୍ୟାୟନ ଆଧାରରେ ୧୦ଟି ଦଳକୁ ପରବର୍ତ୍ତୀ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଛି। ଚୟନ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଡେପୁଟି କଲେକ୍ଟର ସତରୂପା ଶତପଥି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଉପଖଣ୍ଡ ସୂଚନା ଅଧିକାରୀ ସୋନାଲୀ କୁଣ୍ଡ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ନାଟ୍ୟୋତ୍ସବ କମିଟି ଉପଦେଷ୍ଟା ତଥା ଅଭିନେତା ଶ୍ରୀତମ ଦାସ ଉପସ୍ଥିତ ଥିଲେ।ବିଚାରକମଣ୍ଡଳୀରେ ଅନନ୍ତ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାଶ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍‌, ସନ୍ଦୀପ ପାଣି, ବେବି ପ୍ରଧାନ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ ରହିଥିଲେ। ଯୁବ ନାଟ୍ୟ ପ୍ରତିଭାଙ୍କୁ ନିଜ ସୃଜନଶୀଳତା ଦେଖାଇବାର ସୁଯୋଗ ଦେବା ସହ କଟକର ନାଟ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ଦିଗରେ ଏହି ନାଟ୍ୟୋତ୍ସବ ଏକ ଉଲ୍ଲେଖନୀୟ ମଞ୍ଚ ପାଲଟିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ