ବେଆଇନ ବାଲି ଘାଟରେ ଚଢ଼ାଉ କରିବାକୁ ଡ଼ରୁଛି କି ଖଣି ବିଭାଗ !
ହାଟଡିହି (ଓ୍ବାଇଏନଏସ): ବେଆଇନ ବାଲି ଘାଟରେ ଚଢ଼ାଉ କରିବାକୁ ଡ଼ରୁଛି କି ଖଣି ବିଭାଗ ଏପରି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି। ହାଟଡିହି ଅଞ୍ଚଳରେ ଅନେକ ବାଲି ଘାଟ ବେଆଇନ ଭାବେ ଚାଲୁଥିବା ବେଳେ ଖଣି ବିଭାଗ କି ପୋଲିସ ପ୍ରଶାସନ କେବେ ଘାଟ ଉପରେ ଚଢ଼ାଉ ନକରି କେବଳ ରାସ୍ତାରେ କିଛି ଗାଡି ଜବଦ କରି ବାହାବା ନେଉଛି ବୋଲି ଆଲୋଚନା ହେଉଛି। ଗତ ୨ ତାରିଖ ରାତିରେ ଖଣି ବିଭାଗର ଅଧିକାରୀ ମାନେ ବାହାରିପୁର – ଗିରିଗାଁ ରାସ୍ତାରେ ଚଢ଼ାଉ କରି ପାଞ୍ଚୋଟି ହାଇୱା ଜବଦ କରିଥିଲେ। ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା। କିନ୍ତୁ ହାଇୱା ଜବଦ ସ୍ଥଳରୁ ବେଆଇନ ଭାବେ ଚାଲୁଥିବା ବାଲିଘାଟର ଦୂରତା ମାତ୍ର ପଞ୍ଚଶହ ମିଟର ହୋଇଥିବା ବେଳେ ଏବଂ ସେଠାରେ ସେତେବେଳେ ଦୁଇ ଦୁଇଟି ରୋକଲିନ ମେସିନି, ଦୁଇଟି ଜେସିବି ମେସିନ ଓ ଅନେକ ଟ୍ରକ ଲୋଡ଼ ହେଉଥିବା ବେଳେ ଖଣି ବିଭାଗର ଅଧିକାରୀ ମାନେ ସେଠାକୁ ନଯିବା ଖଣି ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେଠାରେ ୮ଦିନ ହେବ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ବେଳେ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ କରାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ବିଭାଗ ସେହି ଘାଟରୁ କିଏ ଉଠାଉଥିଲା, କେତେ ପରିମାଣର ବାଲି ଉଠିଛି ତାହାର ତଦନ୍ତ କଲାନି। ଯାହାଦ୍ୱାରା ମାଫିଆ ମାନେ ମାଲେ ମାଲ ହେଉଥିବା ବେଳେ ବିଚରା ହାଇୱା ମାଲିକ ମାନେ ବ୍ୟାପକ କ୍ଷତିର ସମୁଖୀନ ହେଉଛନ୍ତି। ସେହିପରି ଗିରିଗାଁ ସ୍କୁଲ ସମ୍ମୁଖ ଘାଟନିକଟସ୍ଥ ପଡିଆରେ ଶହ ଶହ ଟ୍ରିପ ବାଲି ଡମ୍ପ କରାଯାଇ ଗଛିତ ରଖା ଯାଇଛି। ଯାହାକୁ କି ରାତିରେ ହାଇୱା, ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଛି। କିନ୍ତୁ ଖଣି ବିଭାଗ କି ପ୍ରଶାସନ ଏହାକୁ ଜବଦ କରିବାରେ ସକ୍ଷମ ହେଉନି। ସେହିପରି ଆମ୍ବୋରେ ଚାଲିଥିବା ବେଆଇନ ବାଲି ଘାଟକୁ ବନ୍ଦ କରିବାରେ ପ୍ରଶାସନ ବିଫଳ ହୋଇଛି। ସେଠାରେ ଦିନ ରାତି ଶହ ଶହ ଟ୍ରାକ୍ଟର ବେଆଇନ ବାଲି ଉତ୍ତୋଳନ ଓ ପରିବହନ କରୁଛନ୍ତି। ଏହି ବାଲି ଘାଟକୁ ସରକାରୀ ସ୍ତରରେ ଲିଜ ଦିଆ ଯାଇ ନଥିବା ବେଳେ କିଛି ମାଫିଆ ନିୟମିତ ଭାବେ ବାଲି ଉତ୍ତୋଳନ ଜରିବାରେ ଲାଗିଛନ୍ତି। ଗତ କିଛିଦିନ ତଳେ ଖଣିବିଭାଗ ଚଢ଼ାଉ କରି କିଛି ଟ୍ରାକ୍ଟର ଧରିଥିବା ବେଳେ ଆହୁରି ଅନେକ ଟ୍ରାକ୍ଟର ବିଭିନ୍ନ ସ୍ଥାନରେ ବାଲି ଅନଲୋଡ଼ କରି ଖସିଯିବାରେ ସକ୍ଷମ ହୋଇଥିଲେ। କିନ୍ତୁ ତାପରେ ଖଣି ବିଭାଗ ଚୁପ ହୋଇଯିବାରୁ ଏବେ ଖୁଲାମ ଖୁଲା ବାଲି ଉତ୍ତୋଳନ କରାଯାଉଛି। ପୁଲିସ ପ୍ରଶାସନ ପ୍ରତି ଭୟ ନାହିଁ ଏହି ବାଲି ମାଫିଆଙ୍କର। ସତେ ଯେପରି ବିଭାଗ ତାଙ୍କୁ ବେନିୟମ ବାଲି ଉତ୍ତୋଳନ ପାଇଁ ନିର୍ଦେଶ ଦେଇଛି। ଏଣୁ ଜିଲ୍ଲା ଖଣି ଅଧିକାରୀ ଏଦିଗରେ ପଦକ୍ଷେପ ନେଇ ବେଆଇନ ଘାଟ ଗୁଡିକ ଉପରେ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି।


