‘ସାଇନ୍‌ସ ଏୱାରନେସ୍ ଫୋରମ୍‌’ର ପ୍ରଥମ ଜନ୍ମଦିନ

ବାଲେଶ୍ୱର, (ସରୋଜ ପଣ୍ଡା): ମଣିଷ ସମାଜର ମଙ୍ଗଳ ସହ ପ୍ରକୃତି ଓ ପରିବେଶର ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୃଷ୍ଟି ହୋଇଥିବା ‘ସାଇନ୍ସ ଏୱାରନେସ୍ ଫୋରମ୍‌ର ପ୍ରଥମ ଜନ୍ମଦିନ ଉତ୍ସବ ସ୍ଥାନୀୟ ବାଗବୃନ୍ଦାବନ ‘ଶ୍ରୀ ଶିକ୍ଷା’ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। କେନ୍ଦ୍ରୀୟ ବିଦ୍ୟାଳୟ (୨)ର ନବମଶ୍ରେଣୀର ଛାତ୍ରୀ ଏ.ଆର. ହଂସିନି ବୈଜ୍ଞାନିକ ଆଇନଷ୍ଟାଇନ୍‌ଙ୍କ ଫଟୋଚିତ୍ର ନିକଟରେ ‘ବିଜ୍ଞାନ ପ୍ରଦୀପ’ ପ୍ରଜ୍ଜ୍ୱଳନ କରି ଜନ୍ମଉତ୍ସବକୁ ଉଦ୍‌ଘାଟନ କରିଥିଲେ। ‘ସାଇନସ୍ ଏୱାରନେସ୍ ଫୋରୋମ୍‌’ର ମୁଖ୍ୟ କବି ପ୍ରଶାନ୍ତ ଦାସ ଉତ୍ସବ ପରିଚାଳନା କରି ଉତ୍ସବର ଆଭିମୁଖ୍ୟ ସଂପର୍କରେ କହିଲେ ଯେ ବିଜ୍ଞାନର ଉପଯୁକ୍ତ ବ୍ୟବହାର ପୃଥିବୀ, ପ୍ରକୃତି, ପରିବେଶକୁ ସୁରକ୍ଷା କରି ମଣିଷ ସମାଜର ମଙ୍ଗଳର କାରଣ ହେବ ଓ ଦ୍ରବ୍ୟର ପୁନର୍ବ୍ୟବହାରକୁ ଦୃଷ୍ଟି ଦେଲେ ବହୁ ସମସ୍ୟାର ସମାଧାନ ହୋଇଯିବ। ଉକ୍ତ ବିଷୟରେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ମଣିଷମାନଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ‘ଫୋରୋମ୍‌’ ବିଭିନ୍ନ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବ। ଅତିଥିଭାବେ ଝାଡ଼େଶ୍ୱର ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଫୋରୋମ୍‌ର ସଭାପତି ଡ. ସମର ବଲ୍ଲଭ ଭୋଇ, ଆବାହକ, ବିଜ୍ଞାନ ଲେଖକ ଓ ଶିକ୍ଷକ ପଦ୍ମଲୋଚନ ପ୍ରଧାନ ଯୋଗଦାନ କରି କହିଥିଲେ ଯେ ବର୍ତ୍ତମାନ ସମୟରେ ବିଜ୍ଞାନର ବ୍ୟବହାର ନକରାତ୍ମକ ପ୍ରଭାବ ପ୍ରକୃତି ଓ ପରିବେଶକୁ ଦୂଷିତ କରି ପୃଥିବୀରେ ବାସ କରୁଥିବା ଜୀବନ ପ୍ରତି ବିପଦ ସୃଷ୍ଟି କରୁଅଛି। ତେଣୁ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ ଓ ବିଜ୍ଞାନର ସଠିକ୍ ବ୍ୟବହାର ପାଇଁ ଦୃଷ୍ଟି ଦେବା ସହ ଯତ୍ନବାନ ହେବାକୁ ମନଟିଏ ତିଆରି କରିବା। ‘ଫୋରମ୍‌’ର ସଂପାଦକ ସାଇ ଶିଶୁ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ମଧୁସୂଦନ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ‘ବିଦ୍ୟାର୍ଥୀ ଫାଉଣ୍ଡେସନ୍‌’ର ପ୍ରତିଷ୍ଠାତା ବିପ୍ଳବ ଦାସ ମହାପାତ୍ର ଆଇନ୍‌ଷ୍ଟାଇନ୍‌ଙ୍କ ଉଦ୍ଭାବନ ଓ ଜୀବନୀ ସଂପର୍କରେ ନିଜ କଥା ରଖିବା ସହ ବିଜ୍ଞାନକୁ ନେଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସାଧାରଣ ମଣିଷଙ୍କ ସ୍ତରରେ ଅନେକ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନେବାର ଆବଶ୍ୟକ ବୋଲି ମତ ରଖିଥିଲେ। ଶେଷରେ ମେଧାବୀ ବିଜ୍ଞାନ ଛାତ୍ର ଓ ‘ଫୋରମ୍‌’ର ସଂଯୋଜକ ରାଧାବଲ୍ଲଭ ଦଳାଇ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଧାରିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ଓ ପ୍ରଣମ୍ୟ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍ ଓ ବୈଜ୍ଞାନିକ ଅବଦୁଲ୍ କାଲାମ୍‌ଙ୍କ ପୁଣ୍ୟ ସ୍ମୃତିରେ ତାଙ୍କ ଜୟନ୍ତୀରେ ଜଣେ ବିଜ୍ଞାନ ଲେଖକ ଓ ମେଧାବୀ ଛାତ୍ର/ଛାତ୍ରୀଙ୍କୁ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ