ଅମଲା କାମରୁ ହଟିବେ ସିପାହୀ, ମେ’ ୩୧ ସୁଦ୍ଧା ବାଟାଲିୟନ୍କୁ ଫେରିବାକୁ ନିର୍ଦ୍ଦେଶ
କଟକ, (ଓ୍ବାଇଏନଏସ): ପୁଲିସ ମୁଖ୍ୟାଳୟଠୁ ଆରମ୍ଭ କରି ବିଭିନ୍ନ ଏଷ୍ଟାବ୍ଲିସ୍ମେଣ୍ଟ୍ ଓ ୟୁନିଟ୍ ଆଦିରେ ବର୍ଷବର୍ଷ ହେଲା ଅମଲାଙ୍କ ପାଖରେ ରହି ଫାଇଲ୍ ବୋହୁଥିବା ସିପାହୀମାନେ ହଟିବେ । ସଶସ୍ତ୍ର ପୁଲିସ ବାହିନୀ (ଆର୍ମଡ୍ ବାଟାଲିୟନ୍)ରୁ ଦୀର୍ଘ ଦିନ ହେଲା ଡେପୁଟେସନ୍ରେ ଆସିଥିବା ସିପାହୀଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ସେମାନଙ୍କ ମୂଳ ବାଟାଲିୟନ୍କୁ ଫେରାଇ ଦେବା ପାଇଁ ପୁଲିସ ମହାନିର୍ଦ୍ଦେଶକ(ଡିଜି) ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଧାର୍ଯ୍ୟ ସମୟ ମଧ୍ୟରେ ଫେରାଇବା ସହ ଏ ବାବଦରେ ଆଇଜି ପର୍ସେନାଲ୍ଙ୍କୁ ଅବଗତ କରାଇବାକୁ ଡିଜି ରାଜ୍ୟର ସମସ୍ତ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ୍ର ଏଡିଜି, ଆଇଜି, ଡିଆଇଜି, ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବାଟାଲିୟନ୍ ମୁଖ୍ୟାଳୟରେ କାର୍ଯ୍ୟ କରିଆସୁଥିବା କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ସମୀକ୍ଷା କରିବା ସହ ଆବଶ୍ୟକତା ଅନୁଯାୟୀ ସର୍ବନିମ୍ନ କର୍ମଚାରୀଙ୍କୁ ନିୟୋଜିତ କରାଇବା ପାଇଁ ସ୍ପେସାଲ୍ ଆର୍ମଡ୍ ପୁଲିସ ଏଡିଜିଙ୍କୁ ମଧ୍ୟ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ପୁଲିସର କୌଣସି ସଂଗଠନ, ଏଷ୍ଟାବ୍ଲିସ୍ମେଣ୍ଟ୍ କିମ୍ବା ୟୁନିଟ୍ ହେଡ୍ମାନେ ମୌଖିକ ଆଦେଶ ଦ୍ୱାରା ଆଉ କୌଣସି କର୍ମଚାରୀଙ୍କୁ ମୁତୟନ କରାଯିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଡିଜିଙ୍କ ଏହି କଡ଼ା ନିର୍ଦ୍ଦେଶନାମା ରାଜ୍ୟ ପୁଲିସ ମୁଖ୍ୟାଳୟ ସମେତ ବିଭିନ୍ନ ଏଷ୍ଟାବ୍ଲିସ୍ମେଣ୍ଟ୍ ସ୍ତରରେ ହଟଚମଟ ସୃଷ୍ଟି କରିଛି । ଆଇନ ଶୃଙ୍ଖଳା ଓ ବିଭିନ୍ନ ସର୍ଚ୍ଚ ଅପରେସନ୍ ଆଦି କାର୍ଯ୍ୟ ପାଇଁ ନିୟୋଜିତ ଆର୍ମଡ୍ ପୁଲିସ ତଥା ବନ୍ଧୁକଧାରୀ ପୁଲିସ ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ଆରମ୍ଭ କରି ଡିଜିଙ୍କ କ୍ୟାମ୍ପ୍ ଅଫିସ୍, ବିଭିନ୍ନ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ୍, କମାଣ୍ଡାଣ୍ଟ୍ର ଅଫିସ୍ରେ ଫାଇଲ୍ପତ୍ର ନେବା ଆଣିବା ସହ ଡିଟିପି, ଚିଠି ଦିଆନିଆ ଆଦି ଅମଲା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି । ସିପାହୀ, କନଷ୍ଟେବଲ୍, ହାବିଲ୍ଦାର୍ ମିଶି ୫ଶହରୁ ଅଧିକ ୧୦/୧୫ ବର୍ଷ ହେଲା ଡେପୁଟେସନ୍ରେ ଆସି ଅମଲାଙ୍କ ପାଖରେ ନିୟୋଜିତ ଅଛନ୍ତି । ଆଇନ ଶୃଙ୍ଖଳା ଡ୍ୟୁଟି ଛାଡ଼ି ସିପାହୀ ଫାଇଲ୍ ବୋହୁଥିବା ଖବର ଗତକାଲି ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ଏହାକୁ ନେଇ ସାଧାରଣରେ ବହୁ ଚର୍ଚ୍ଚା ହୋଇଥିଲା । ବାଟାଲିୟନ୍ ବିଭିନ୍ନ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ ଡେପୁଟେସନ୍ରେ ଆସି ଜାଗା ଜମାଇଥିବା ସିପାହୀଙ୍କୁ ହଟାଇବା ପାଇଁ ଡିଜିଙ୍କ ନିର୍ଦ୍ଦେଶ ପରେ କିଛି ଅଧିକାରୀ ଓ ସିପାହୀଙ୍କ ମହଲରେ ଭାଳେଣି ପଡ଼ିଛି ।


