ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଅଭିଯାନକୁ ସରପଞ୍ଚଙ୍କ ନିଆରା ପ୍ରୟାସ

ନୂଆପଡ଼ା,(ଲିଲାମ୍ବର ନାଗ):ନୂଆପଡା ଜିଲ୍ଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା “ ଏସ ୟୁ ପି ଫ୍ରି ନୂଆପଡା” ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନକୁ ନୂଆ ଦିଗ ଦେଇଛି କୋମନା ବ୍ଲକର ଜଣେ ସରପଞ୍ଚଙ୍କ ନିଆରା ପଦକ୍ଷେପ। ରଜନା ଗ୍ରାମ ପଞ୍ଚାୟତର ସରପଞ୍ଚ କ୍ଷୀରସିନ୍ଧୁ ଭୋଇ ଏକ ବିବାହ ଉତ୍ସବରେ ଗ୍ରାମ ପଞ୍ଚାୟତର “ବର୍ତ୍ତନ ବ୍ୟାଙ୍କ” ବ୍ୟବହାରକୁ ପ୍ରୋତ୍ସାହନ ଦେଇ ପ୍ରାୟ ଏକ ଟନ ପ୍ଲାଷ୍ଟିକ ଆବର୍ଜନାକୁ ରୋକିବାରେ ସଫଳ ହୋଇଛନ୍ତି ।ସାଧାରଣତଃ ବିବାହ ଓ ସାମାଜିକ ଉତ୍ସବମାନଙ୍କରେ ପ୍ଲେଟ, ପ୍ଲାଷ୍ଟିକ ଗ୍ଲାସ, କପ୍, ଚାମଚ, ପାଣି ପାଉଚ ଓ ବୋତଲ ଭଳି ଏକକ ବ୍ୟବହୃତ ସାମଗ୍ରୀର ବ୍ୟାପକ ବ୍ୟବହାର ହୋଇଥାଏ। ଏହା ପରିବେଶ ପ୍ରଦୂଷଣ ସହିତ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ଆବର୍ଜନାର ପରିମାଣ ବଢ଼ିଯାଏ। କିନ୍ତୁ ସରପଞ୍ଚ କ୍ଷୀରସିନ୍ଧୁ ଭୋଇ ଏହାକୁ ରୋକିବା ପାଇଁ ସ୍ୱୟଂ ଦାୟିତ୍ୱ ନେଇ ବିବାହ ଆୟୋଜକଙ୍କୁ ବର୍ତ୍ତନ ବ୍ୟାଙ୍କ ବ୍ୟବହାର ପାଇଁ ପ୍ରେରିତ କରିଥିଲେ। ଫଳସ୍ୱରୂପ ସମଗ୍ର ଆୟୋଜନ ପରିବେଶବନ୍ଧବ ଭାବରେ ସଫଳ ହୋଇଥିଲା । ଏହି ପଦକ୍ଷେପ କେବଳ ପ୍ଲାଷ୍ଟିକ ବ୍ୟବହାର କମେଇବାରେ ସୀମିତ ରହିନଥିଲା ବରଂ ସମାଜକୁ ପରିବେଶ ପ୍ରତି ସଚେତନ କରିବାରେ ମଧ୍ୟ ଏକ ଶକ୍ତିଶାଳୀ ସନ୍ଦେଶ ଦେଇଛି । ସରପଞ୍ଚଙ୍କ ଏହି ଉଦ୍ୟମ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ବହୁତ ପ୍ରେରିତ ହୋଇଥିବା ଦେଖାଯାଇଛି । ଅନେକେ ଆଗାମୀ ସାମାଜିକ କାର୍ଯ୍ୟକ୍ରମରେ ଏଭଳି ପରିବେଶବନ୍ଧବ ବ୍ୟବସ୍ଥାକୁ ଅନୁକରଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ନୂଆପଡା ଜିଲ୍ଲାପାଳ ମଧୁସୁଦନ ଦାଶ ସରପଞ୍ଚଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା” ଅଭିଯାନର ସଫଳତା ପାଇଁ ଏପରି ସାମୁଦାୟିକ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ । ସେ ଅନ୍ୟ ସମସ୍ତ ସରପଞ୍ଚ, ସମାଜସେବୀ ଓ ଗୋଷ୍ଠିର ନେତାମାନଙ୍କୁ ମଧ୍ୟ ଏହି ଲୋକକେନ୍ଦ୍ରିକ ପ୍ରୟାସକୁ ଅନୁସରଣ କରିବାକୁ ଆହ୍ୱାନ କରିଛନ୍ତି । ଜିଲ୍ଲା ପ୍ରଶାସନର ମତାନୁସାରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କେବଳ ସରକାରୀ ନିୟମରେ ସମ୍ଭବ ନୁହେଁ। ଏଥିପାଇଁ ସାଧାରଣ ଲୋକଙ୍କ ସଚେତନତା ଓ ସହଯୋଗ ଅତ୍ୟାବଶ୍ୟକ । କୋମନା ବ୍ଲକର ଏହି ପ୍ରୟାସ ପ୍ରମାଣ କରିଦେଇଛି ଯେ, ଯଦି ଗ୍ରାମ ସ୍ତରରେ ନେତୃତ୍ୱ ସଚେତନ ହୁଏ ତେବେ ପରିବେଶ ସୁରକ୍ଷା ଏକ ସାମୂହିକ ଆନ୍ଦୋଳନର ରୂପ ନେଇପାରେ । ସରପଞ୍ଚଙ୍କ ଏହି ନିଆରା ପଦକ୍ଷେପ ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ,ଏହା ଆଗାମୀ ଦିନରେ ପରିବେଶବନ୍ଧବ ସମାଜ ଗଠନରେ ଏକ ପ୍ରେରଣାଦାୟକ ମଡେଲ୍‌ ଭାବେ ପରିଗଣିତ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ