ଗଞ୍ଜାମ ଜିଲ୍ଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତିଭାସନ ବୁଧବାର ହିଞ୍ଜିଳିକାଟୁ ଗସ୍ତ କରିଥିଲେ। ହିଞ୍ଜିଳିକାଟୁରେ ପହଞ୍ଚି ନିର୍ମାଣଧିନ ବହୁ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ପରେ ନୂଆଁଗଡରେ ପହଞ୍ଚି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (ଏମସିସି, ଏମଆରଏଫ) ବୁଲି ଦେଖିବା ସହ ନ୍ୟାୟାଳୟ ନିକଟରେ ଅବସ୍ଥିତ ପରିବେଶ ଶିକ୍ଷା କେନ୍ଦ୍ରରେ ପ୍ଳାଷ୍ଟିକ ଓ କତାରୁ ତିଆରି ଦଉଡି ବୁଲି ଦେଖିଥିଲେ। ପରବର୍ତ୍ତୀ ସମୟରେ ପୌର କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ବିଷୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ପରିବା ବଜାର ବୁଲି ଦେଖିବା ସହ ବଜାର ଗୃହକୁ ବେଆଇନ ଭାବେ ଆବଶ୍ୟକ ଠାରୁ ଅଧିକ ସ୍ଥାନରେ ନିର୍ମାଣ କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନାଧିକୃତ ଭାବେ ନିର୍ଦ୍ଧିଷ୍ଟ ସ୍ଥାନ ଠାରୁ ଅଧିକ ସ୍ଥାନରେ ନିର୍ମାଣ କରାଯାଇଥିବା ଅଂଶକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିବା ବଜାର ଓ ୫୯ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବେଆଇନ ଭାବେ ଜବରଦଖଲ କରି ବ୍ୟବସାୟ କରୁଥିବାରୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତହସିଲଦାର ତପନ କୁମାର ମହାପାତ୍ର, ବିଡ଼ିଓ ସାଗରୀକା ଷଡ଼ଙ୍ଗୀ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର, ସୂର୍ଯ୍ୟ ଆଚାରୀ ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ।


