ବିଶ୍ୱ ରକ୍ତ କର୍କଟ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) :ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରରେ ଗୁରବାର ବିଶ୍ୱ ରକ୍ତ କର୍କଟ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ରକ୍ତ କର୍କଟ ଦୂରାରୋଗ୍ୟ ହୋଇ ରହିନଥିଲା ବେଳେ ଏହାର ଚିକିତ୍ସା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରି ରୋଗୀ କିପରି ସୁସ୍ଥ ଜୀବନଶୈଳୀରେ ବଞ୍ଚିପାରିବ ତାହାରି ଉପରେ ବହୁ ଉପାଦେୟ ଓ ଶିକ୍ଷଣୀୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସେବା ଓ ଯତ୍ନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥିଲା ବେଳେ ସଚେତନତା ଓ ସଠିକ୍ ସମୟରେ ଚିକିତ୍ସା ହିଁ ଏହି ମାରାତ୍ମକ ରୋଗରୁ ବର୍ତ୍ତିବା ଏକମାତ୍ର ମାଧ୍ୟମ । ରକ୍ତ କର୍କଟକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା ଓ ସଠିକ୍ ସମୟରେ ଚିକିତ୍ସା ଜାରି ରଖି ରକ୍ତ କର୍କଟକୁ ନ ଡରି ସାହସର ସହିତ ଲଢିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ପୀଡିତ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମାନସିକ ଓ ସାମାଜିକ ସ୍ତରରେ ସହଯୋଗ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ । କର୍କଟ ରୋଗ ବିଭିନ୍ନ ପ୍ରକାରର ହୋଇଥିଲା ବେଳେ ସେଥି ମଧ୍ୟରୁ ରକ୍ତ କର୍କଟ ରୋଗ ଅନ୍ୟତମ ହୋଇଥିଲା ବେଳେ ଏହା ମନୁଷ୍ୟ ଶରୀରର ରକ୍ତରେ ଏହା ସଞ୍ଚାଳିତ ହୋଇଥାଏ । ତେଣୁ ରକ୍ତ କର୍କଟ ରୋଗୀଙ୍କୁ ଜୀବନ ବଞ୍ଚାଇବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ “ବୋନ୍ ମ୍ୟାରୋ” କିମ୍ବା “ଷ୍ଟେମ୍ ସେଲ୍” ଦାନ କରିବାକୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିବା ଦେଖିିବାକୁ ମିଳିଥିଲା । ବିଶ୍ୱ ରକ୍ତ କର୍କଟ ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


