ଜନମାନସରୁ ଲିଭିଯିବକି ଆସିକାର ଅତି ପୁରାତନ କରୋନେସନ୍ ପାର୍କ !
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ଅଧୀନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ଛକ ନିକଟରେ ୧୯୦୩ ମସିହାରେ ଆଧ୍ୟାତ୍ମିକପ୍ରେମୀ ଟି.ଭି କୋଣ୍ଡଳା ରାଓ ପାନ୍ତୁଲୁଗାରୁ ଓ ତାଙ୍କ ପତ୍ନୀ ଟି.ଭି.ସୁନ୍ଦରାମ୍ମାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ସ୍ଥାପିତ ହୋଇ ପରବର୍ତ୍ତୀ ସମୟରେ ଆସିକା ପୌର ପରିିଷଦ ଅଧୀନକୁ ଯାଇଥିବା ଶତାୟୁ ପୁରାତନ କରୋନେସନ୍ ପାର୍କ ଦୀର୍ଘ କିଛି ମାସ ହେଲା ବନ୍ଦ ହୋଇ ପଡିରହିଥିଲେ ମଧ୍ୟ ତାହାକୁ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ଲକ୍ଷ୍ୟ କରାଯାଉଛି । ଅପର ପକ୍ଷରେ ଏହି ପୁରାତନ କରୋନେସନ୍ ପାର୍କ କାଳର କରାଳ ଗର୍ଭରେ ଜନମାନସରୁ ଲିଭିଯିବକି ବୋଲି ମଧ୍ୟ କେତେକ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି । ଆସିକା ସହରର ଅନ୍ୟତମ ପ୍ରମୁଖ ତଥା ଅତି ପୁରାତନ କରୋନେସନ୍ ପାର୍କକୁ ଅତୀତରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯୁବପିଢୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବେଳେ ସଂଜ ନଇଁବା ମାତ୍ରେ ପାର୍କର ମନୋରମ ଦୃଶ୍ୟକୁ ଉପଭୋଗ କରିବା ଲାଗି ଭିଡ ଜମୁଥିଲା । ମାସର ପ୍ରତ୍ୟେକ ଦିନ ଏହି କରୋନେସନ୍ ପାର୍କରେ ଆସିକା ସହରର ବହୁ ସଚେତନ ନାଗରିକଙ୍କ ଠାରୁ ଆରମ୍ଭ କରି ଯୁବପିଢୀ ଆମୋଦ ପ୍ରମୋଦ କରୁଥିଲା ବେଳେ ନୁଆଁବର୍ଷ ଅବ୍ୟବହିତ ପୂର୍ବରୁ ସାଧାରଣ ଜନତାଙ୍କ ଆଶାତୀତ ଭିଡ ବି ଜମୁଥିଲା । ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ବନ୍ଦ ହୋଇପଡିରହିଥିବା ଅତି ପୁରାତନ କରୋନେସନ୍ ପାର୍କକୁ କାର୍ଯ୍ୟକ୍ଷମ କରାଯାଉନି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବିଭାଗୀୟ ଅଧିକାରୀଙ୍କର ଆନ୍ତରିକତାର ଅଭାବ ଯୋଗୁଁ କଣଠେସା ହୋଇପଡିରହିଥିବା ଅତି ପୁରାତନ କରୋନେସନ୍ ପାର୍କ ଏବେ ବନ୍ଦ ହୋଇ ଅଲୋଡା ହୋଇପଡିଛି । ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ କାହାର ବି ନିଘା ନଥିବା ପରିଲକ୍ଷିତ ହେଉଛି । ଯାହାରି ଫଳରେ ସହରବାସୀ ପ୍ରାୟତଃ ଏହି ଶତାୟୁ ପୁରାତନ କରୋନେସନ୍ ପାର୍କକୁ ଏବେ ଭୁଲିଯିବାକୁ ବସିଲେଣି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରିି ସାଧାରଣ ଜନତା ପ୍ରତ୍ୟେକ ଦିନ ସନ୍ଧ୍ୟାରେ କିଛି ସମୟ ବିତାଇବାକୁ ଏହି କୋରୋନେସନ୍ ପାର୍କ ଉପରେ ନିର୍ଭର କରୁଥିଲେ । ଆସିକା ପୌର ପରିଷଦର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା କୋରୋନେସନ୍ ପାର୍କରେ ୫ ବର୍ଷରୁ କମ୍ ପିଲାଙ୍କ ପାଇଁ ୫ ଟଙ୍କା ଓ ୫ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ନିଆଯାଉଥିଲା । ସହରର କେନ୍ଦ୍ରସ୍ଥଳରେ ଏହି ପାର୍କ ଥିବାରୁ ସଂଜ ନଇଁଲେ ବହୁମାତ୍ରାରେ ଆଗ୍ରହୀ ବ୍ୟକ୍ତି ନିଜ ନିଜ ପରିବାର ସହ ଆସି କିଛି ସମୟ ବିତାଉଥିଲେ । ଆସିକା ପୌର ପରିଷଦ କର୍ତ୍ତୃପକ୍ଷ ସ୍ୱଚ୍ଛ ସର୍ବେକ୍ଷଣ ଲାଇଟ୍ ବୋର୍ଡ ଓ ପାଚେରୀ ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣ ଏବଂ ବିଭିନ୍ନ ସାମଗ୍ରୀ କ୍ରୟ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିଲା ବେଳେ ଅତି ପୁରାତନ କୋରୋନେସନ୍ ପାର୍କକୁ କାର୍ଯ୍ୟକ୍ଷମ କରିବା ଦିଗରେ ଆଖି ବୁଜିଦେଇଥିବା ଯୋଗୁଁ ସଚେତନ ନାଗରିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଆସିକା ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ରାଜ୍ୟ ସରକାରଙ୍କ ଗୃôହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା କୋରୋନେସନ୍ ପାର୍କକୁ ଗତ ୨୦୨୧ ମସିହା ଅଗଷ୍ଟ ମାସ ୩୧ ତାରିଖରେ ଲୋକାର୍ପଣ କରାଯାଇଥିଲା । ସେତେବେଳେ ପାର୍କ ପରିସରରେ ଲାଗିଥିବା ଉଜ୍ଜଳ ରଙ୍ଗବେରଙ୍ଗର ଆଲୋକୀକରଣ ବ୍ୟବସ୍ଥା ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳି, ଖସଡା, ବୟସ୍କଙ୍କ ପାଇଁ ବ୍ୟାଞ୍ଚ, ବ୍ୟାୟାମ ପାଇଁ ଉପକରଣ ଓ ସୁନ୍ଦର ସୁନ୍ଦର ଔଷଧୀୟ ଛାୟ ପ୍ରଦାନକାରୀ ଗଛଲତା ଏବଂ ଏହାର ପରିବେଶ ସାଧାରଣ ଜନତାଙ୍କୁ ଆକର୍ଷଣ କରୁଥିଲା । ଆସିକାର ସର୍ବପୁରାତନ କୋରୋନେସନ୍ ପାର୍କରେ ଲାଗିରହିଥିବା ସମସ୍ୟାକୁ ସମାଧାନ କରି ପୂର୍ବପରି ଖୋଲିବା ଦିଗରେ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ନିଘା ନାହିଁ ବୋଲି କେତେକ ମହଲରେ ମତ ପ୍ରକାଶ ପାଉଛି । ବିଗତ କିଛି ମାସ ତଳେ ଆସିକା ପୌର ପରିଷଦ ପକ୍ଷରୁ ଏହି ପୁରାତନ କରୋନେସନ୍ ପାର୍କର ପରିଚାଳନା ଦାୟିତ୍ୱ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଦାନ କରାଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ପୁଣି ଉକ୍ତ ଏସ୍ଏଚ୍ଜି ଗୋଷ୍ଠୀ ଠାରୁ ପରିଚାଳନା ଦାୟିତ୍ୱ ହଠାତ୍ ବାତିଲ୍ କରାଗଲା ତାହା ବି ତଦନ୍ତସାପେକ୍ଷ । ଜିଲ୍ଲା ପ୍ରଶାସନ ତଥା ôଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହରର ସର୍ବପୁରାତନ କୋରୋନେସନ୍ ପାର୍କରେ ଲାଗିରହିଥିବା ସମସ୍ୟାକୁ ସମାଧାନ କରି ତୁରନ୍ତ ଖୋଲିବା ସାଙ୍ଗକୁ ଏହା ଯେପରି ପୂର୍ବଭଳି ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


