ଆଶୀର୍ବାଦ ସହାୟତା ପାଇବାରୁ ଆସିକାର ହିତାଧିକାରୀ ବଞ୍ଚିତ!

ଆସିକା  (ୱାଇଏନ୍‍ଏସ୍‍) : କୋଭିଡ୍‍-୧୯ କିମ୍ବା ଅନ୍ୟ କୌଣସି କାରଣରୁ ବାପା ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁଙ୍କ କଲ୍ୟାଣ ଓ ଭବିଷ୍ୟତର ସୁରକ୍ଷାକୁ ଦୃଷ୍ଟିରେ ରଖି ତତ୍କାଳୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଗତ ୨୦୨୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ଆଶୀର୍ବାଦ ସହାୟତା ଯୋଜନାରୁ ଆସିକା ଅଞ୍ଚଳର ହିତାଧିକାରୀମାନେ ବିଗତ କିଛି ମାସ ହେଲା ବଞ୍ଚିତ ହେବା ସାଙ୍ଗକୁ ନାନା ସମସ୍ୟାର ସମ୍ମୁଖୀନ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳର ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଅନାଥ ଓ ଅସହାୟ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ମିଳୁଥିବା ସହାୟତା ରାଶି ବିଗତ କିଛି ମାସ ହେଲା ବନ୍ଦ ହୋଇଯାଇଥିବା ଜଣାପଡିଛି । ମାସ ପରେ ମାସ ବିତି ଚାଲିଥିଲେ ମଧ୍ୟ ହିତାଧିକାରୀମାନଙ୍କ ଖାତାକୁ ଟଙ୍କା ଆସୁନଥିବା ଜଣାପଡିଛି । ଆସିକା ଅଞ୍ଚଳରୁ ବହୁ ପିଲାଙ୍କ ପାଇଁ ଏହିି ଆଶୀର୍ବାଦ ସହାୟତା ଅର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବେଳେ ସେମାନଙ୍କୁ ପ୍ରାୟ ଗତ ୩ ମାସରୁ ଉର୍ଦ୍ଧ୍ୱ ସମୟ ହେଲା ସହାୟତା ରାଶି ମିଳିନଥିବା ବେଳେ ସମସ୍ୟାକୁ ସମାଧାନ କରିବା ଦିଗରେ ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଗତ ୨୦୨୦ ମସିହାରେ ତତ୍କାଳୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିଥିବା ଆଶୀର୍ବାଦ ସହାୟତା ଯୋଜନାରେ ବାପା ମାଙ୍କୁ ହରାଇଥିବା ପିଲାଙ୍କୁ ମାସକୁ ୨୫ ଶହ ଟଙ୍କା ମିଳୁଥିଲା ବେଳେ ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କୁ ମାସକୁ ୧୫ ଶହ ଟଙ୍କା ଲେଖାଏଁ ଅତୀତରେ ମିଳୁଥିଲା । ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା ହେଉଥିଲା । ଅନାଥ ପିଲାଙ୍କ ପାଇଁ ଅତୀତରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ କାର୍ଯ୍ୟକାରୀ କରିଥିବା ଆଶୀର୍ବାଦ ସହାୟତା ଯୋଜନାରେ ଜଣେ ବି ଅସହାୟ ଶିଶୁ ଯେପରି ବାଦ୍‍ ନପଡିବେ ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ବି ନିଆଯାଇଥିଲା । ଆଶୀର୍ବାଦ ସହାୟତା ଯୋଜନାରେ ଯୋଗ୍ୟ ବିବେଚିତ ହିତାଧିକାରୀମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ମଧ୍ୟ ନିୟମ ପ୍ରଣୟନ ହୋଇଥିଲା । ତେବେ ଦୀର୍ଘ ଦିନ ହେଲା ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳର ଯୋଗ୍ୟ ବିବେଚିତ ହିତାଧିକାରୀମାନେ ଆଶୀର୍ବାଦ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଆସୁଥିବା ସଂକ୍ରାନ୍ତରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଅତିଶୀଘ୍ର ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ