ବିଜେଡି ପକ୍ଷରୁ ’ନାରୀ ଅଧିକାର ଅଭିଯାନ’
ପୋଲସରା (ଅନୀଲ କୁମାର ମହାରଣା):ରାଜ୍ୟ ରେ ହେଉଥିବା ନାବାଳିକା ସମେତ ମହିଳାମାନଙ୍କୁ ଦୁଷ୍କର୍ମ, ମହିଳା ସଂରକ୍ଷଣ ଅଧିନିୟମ ତୁରନ୍ତ କାର୍ଯ୍ୟକାରୀ କରିବା ଓ ମହିଳାଙ୍କ ପ୍ରତି ବଢିଚାଲିଥିବା ନୃଶଂସ ନିର୍ଯାତନା ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ ନିମନ୍ତେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ସ୍ମାରକ ପତ୍ର ବିଡିଓଙ୍କ ଜରିଆରେ ୨୯-୫-୨୬ ତାରିଖ ଦିନ ପ୍ରଦାନ କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡ଼ା ବ୍ଲକ ବିଜେଡି ସଭପତି ଖଦାଳ ଖଟେଇଙ୍କ ନେତୃତ୍ୱରେ “ନାରୀ ଅଧିକାର ଅଭିଯାନ” ରାଲିର ଆୟୋଜନ ହୋଇଥିଲା। ରାଲିରେ ୩ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବିଜେଡି କର୍ମୀ ସାମିଲ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗତ ନିର୍ବାଚନରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ଡକ୍ଟର ରଞ୍ଜିତା ସାହୁ ଯୋଗଦେଇ ପୋଲସରାର ଖେଳ ପଡିଆ ଠାରୁ ଏକ ବିଶାଳ ରାଲିରେ ମୁଖ୍ୟ ସଡ଼କ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୦୨୩ ମସିହାରେ ବିଜେଡି ସହମତିରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ବିଜେପି ସରକାର କାର୍ଯ୍ୟକାରୀ ନକରି ଜନସାଧାରଣଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ କରିବା ସହ ତୁରନ୍ତ ଗୃହୀତ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବା, ରାଜ୍ୟରେ ବିଜେପି ସରକାର ଆସିବା ପରେ ଦୁଇ ବର୍ଷ ମଧ୍ୟରେ ନାରୀଙ୍କ ପ୍ରତି ହିଂସା ଓ ନାବାଳିକା ସମେତ ମହିଳା ଦୁଷ୍କର୍ମ ଅହେତୁକ ଭାବେ ବୃଦ୍ଧି ହୋଇ ଏନସିଆରବି ରିପୋର୍ଟ ଅନୁଯାୟୀ ଯୌନ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରତ୍ୟେକ ଦିନ ନାରୀ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମହିଳାଙ୍କୁ ହତ୍ୟା ଭଳି ଅମାନୁଷିକ କାଣ୍ଡ ଘଟି ଚାଲିଛି। ରାଜ୍ୟ ସରକାରଙ୍କ ଅପାରଗତା ଓ ଅପରାଧ ନିୟନ୍ତ୍ରଣରେ ବିଫଳତା ହେତୁ ମହିଳା ହିଂସାକାଣ୍ଡ ଓ ଯୌନ ନିର୍ଯାତନା ନେଇ ବିଭିନ୍ନ ଥାନାରେ ୪୮ ହଜାର ମାମଲ ପଞ୍ଜିକୃତ କରାଯାଇଛି। ହିଞ୍ଜିଳିକାଟୁରେ ତିନି ବର୍ଷର ଶିଶୁ କନ୍ୟା ସାମ୍ନାରେ ମାଆ କୁ ମାରିବା, ବାଲିଅନ୍ତାରେ ବୃଦ୍ଧା ମାଆର ଏକମାତ୍ର ପୁଅକୁ ପୋଲିସ ସମ୍ମୁଖରେ ମାରିବା, ବରଗଡ଼ରେ କାର୍ଯ୍ଯରତ ଶିକ୍ଷୟିତ୍ରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ଯୌନ ନିର୍ଯାତନା, ବାଲିପାଟଣାରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯିବା ଭଳି ହିଂସା, ଦୈନଦିନ ବ୍ରହ୍ମପୁର ସହର ସହିତ ପୋଲସରା ସହରରେ ବଢୁଥିବା ହିଂସା ଘଟଣାରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ହରାଇଛନ୍ତି । ଏହା ସହିତ ପୋଲସରା ନିର୍ବାଚନ ମଣ୍ଡଳୀରେ ପୋଲିସ ପ୍ରଶାସନ ଦ୍ବାରା ବିଜେଡି କର୍ମୀଙ୍କୁ ଅଯଥାରେ ଥାନାରେ ଅଟକ ରଖିବା, ବ୍ଲକରେ ବିଜେଡି ସମର୍ଥିତ ପଞ୍ଚାୟତ ଜନପ୍ରତିନିଧିଙ୍କ ବିଲ୍ ନ କରିବା, ବହୁ ପରିମାଣରେ ପିସି ନେବା ଭଳି ବିଷୟ ପୋଲସରା ବିଧାୟକ ତଥା ମନ୍ତ୍ରୀ ଓ ବିଜେପି କର୍ମୀମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ନେଇ ଅଭିଯୋଗ କରିଥଲେ। ଏହି ସମସ୍ତ ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ଜରିଆରେ ଏକ ଦୁଇ କିତା ଲିଖିତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମରେ ପୋଲସରା ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ପୋଲସରା ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ଓ ଝୁନୁ ଦାସ, ବୁଗୁଡ଼ା ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବୁଗୁଡ଼ା ନଗର ସଭାପତି କେ ତ୍ରିଲୋଚନ ଦୋରା, ମନ୍ଦାକିନୀ ସାହୁ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ , ଜନପ୍ରତିନିଧି ସମେତ ୩ ହଜାରରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ।


