ଦିଗପହଣ୍ଡି ବ୍ଳକରେ ଦାଦନ ଯନ୍ତ୍ରଣା : ମୁମ୍ବାଇରେ ଓଡ଼ିଆ ଶ୍ରମିକ ମୃତ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକରେ ଦାଦନ ଯନ୍ତ୍ରଣା ଲାଗି ରହିଥିବା ବେଳେ ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ ପ୍ରେମନଗର ସାହିର ପ୍ରଶାନ୍ତ କୁମାର ପଣ୍ଡା ଓରଫ ମିଟୁ(୩୮)। ପ୍ରଶାନ୍ତ ଚିକିଟି ର ଜଣେ ଲେବର କନ୍ଟ୍ରାକ୍ଟର ଙ୍କ ସହ ପରିବାର ପ୍ରତିପୋଷଣ ପାଇଁ ଗତ ପ୍ରାୟ ୪ ମାସ ପୂର୍ବେ ମୁମ୍ବାଇ ଯାଇ ସେଠାକାର ବୋରିଭାଲି ଇଲାକାରେ ଶ୍ରମିକ ଭାବେ କାମ କରୁଥିଲେ।ଶନିବାର ସକାଳେ ସେ କାମ କରିବାକୁ ଯାଇଥିଲେ। ତାଙ୍କୁ ଭୀଷଣ ଜ୍ବର ହେବାରୁ ସେ ସେଠାରେ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ ଟାରେ ସେ ମେସ୍ କୁ ଚାଲି ଆସିଥିଲେ। ସେଠାରେ ରହୁଥିବା କିଛି ଓଡ଼ିଆ ଶ୍ରମିକ ସାଙ୍ଗ ସାଥି ତାଙ୍କୁ ଅସୁସ୍ଥ ଅବସ୍ଥାରେ ମୁମ୍ବାଇ ବୋରିଭାଲି ନିକଟ ଭଗବତୀ ସରକାରୀ ମ୍ୟୁନିସିପାଲଟି ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ପ୍ରାୟ ସାଢେ ୫ ଟାରେ ତାଙ୍କ ମୃତ୍ୟୁ ଘଟିଥିଲା। ମୁମ୍ବାଇ ରେ ରହୁଥିବା ପ୍ରଶାନ୍ତ ଙ୍କ ଭାଇ ଉମା ପଣ୍ଡା,ଭଣଜା ନାରାୟଣ ପଣ୍ଡା ପ୍ରମୁଖ ପହଞ୍ଚିବା ପରେ ବୋରିଭାଲି ଇଷ୍ଟ କସ୍ତୁରବା ମାର୍ଗ ଥାନାରେ ଏତଲା ଦେଇଥିଲେ।ସେଠାକାର ପୋଲିସ ହସ୍ପିଟାଲ ରେ ପହଞ୍ଚି ରବିବାର ସକାଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ଏନେଇ ଖବର ପ୍ରଚାରିତ ପରେ ଭୀଷ୍ମଗିରି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ପଣ୍ଡା ଙ୍କ ୩ ପୁଅ ମଧ୍ୟରୁ ପ୍ରଶାନ୍ତ କନିଷ୍ଠ ପୁତ୍ର ଥିଲେ । ତାଙ୍କର ଏକ ୧୪ ବର୍ଷର ପୁଅ ଓ ୧୧ ବର୍ଷର ଝିଅ ମଧ୍ୟ ଅଛନ୍ତି । ପ୍ରଶାନ୍ତ ଙ୍କ ମୃତ୍ୟୁ ଖବର ପାଇ ବିଧବା ମାଆ ଝରା ପଣ୍ଡା ଙ୍କ ସମେତ ସ୍ତ୍ରୀ ପିଙ୍କି ପଣ୍ଡା ଙ୍କ ଆଖିରୁ ଲୁହ ସରୁ ନାହିଁ । ମାଆ ଓ ସ୍ତ୍ରୀ ମୁଣ୍ଡ ପିଟିପିଟି କାନ୍ଦି କାନ୍ଦି ବେହୋସ ହୋଇ ପଡୁଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ପରିବାର ଚଳି ଆସୁଥିବା ବେଳେ ପ୍ରଶାନ୍ତ ଙ୍କ ମୃତଦେହ ଭିଟାମାଟିକୁ ଆଣିବାକୁ ପରିବାର ଲୋକେ ସ୍ଥାନୀୟ ସମିତି ସଭ୍ୟ ଶିବରାମ ମହାନ୍ତି ଙ୍କୁ ଜଣାଇଥିଲେ । ଏହାପରେ ସମିତି ସଭ୍ୟ ବ୍ରହ୍ମପୁର ଏମ. ପି ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁନାର ସାହୁ ଙ୍କୁ ସମୁଦାୟ ଘଟଣା ଜଣାଇଥିବା କହିଛନ୍ତି।ମୃତକଙ୍କ ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠି ରୁ ଅନୁକମ୍ପା ମୂଳକ ସରକାରୀ ସହାୟତା ଯୋଗାଇଦେବାକୁ ସେ ତହସିଲଦାର ଙ୍କୁ ନିବେଦନ କରିଥିବା କହିଛନ୍ତି। ଗତ ଅଗଷ୍ଟ ୪ ତାରିଖରେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ଛୋଟରାୟପୁର ଗ୍ରାମର ଦାଦନ ଶ୍ରମିକ ସନ୍ତୋଷ ମହାରଣା(୩୬) ଙ୍କ ନଭି ମୁମ୍ବାଇ ଭାସି ସହର ରେ ମୃତ୍ୟୁ ବରଣ କରିଥିଲେ। ଅଗଷ୍ଟ ୮ ରେ ଭୀଷ୍ମଗିରି ଗ୍ରାମ ପଞ୍ଚାଯତ ସାହି ର ଦାଦନ ଶ୍ରମିକ ଟୁନା ବେହେରା(୩୧) ତାମିଲନାଡୁ ଯାଉଥିବା ବେଳେ ଚେନ୍ନାଇ ନିକଟରେ ଟ୍ରେନ ରୁ ଖସି ମୃତ୍ୟୁବରଣ କରିଥିଲେ।ଅଗଷ୍ଟ ୯ ତାରିଖରେ ରାଧାଦେଇପୁର ଗ୍ରାମର ଦାଦନ ଶ୍ରମିକ ଯୋଗୀ ନାହାକ (୪୫) ଆନ୍ଧ୍ର ର ବିଜୟୱାଡ଼ା ନିକଟରେ ଟ୍ରେନ ରୁ ଖସି ମୃତ୍ୟୁ ବରଣ କରିଥିଲେ।


