ଆସିକାରେ ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା
ଆସିକା (ୱାଇଏନ୍ଏସ୍) : ଭାରତୀୟ ଗଣତନ୍ତ୍ରର ମୂଳଦୁଆ ହେଉଛି ନିର୍ବାଚନ ପ୍ରକ୍ରିୟା ଏବଂ ନିର୍ଭୁଲ ତଥା ସଠିକ୍ ଭୋଟର୍ ତାଲିକା ପ୍ରସ୍ତୁତ ହିଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମୁଖ୍ୟ ଆଧାର । ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ପରାମର୍ଶକ୍ରମେ ଶନିବାର ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆସିକା ବ୍ଳକ ଓ ପୌର ପରିଷଦ ଅଧିନସ୍ଥ ଅଞ୍ଚଳରେ ଆରମ୍ଭ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ନିର୍ଭୁଲ ଭାବେ ଶେଷ କରିବା ପାଇଁ ୧୫୩ ଜଣ ବୁଥ୍ସ୍ତରୀୟ ଅଧିକାରୀ ଏବଂ ୧୪ ବିଏଲ୍ଓ ସୁପରଭାଇଜର ନିୟୋଜିତ ଥିବା ଜଣାପଡିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର୍ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ନିର୍ବାଚନ ପଞ୍ଚିକରଣ ଅଧିକାରୀ ତଥା ଏବିଡିଓ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅମରେଶ୍ ସାବତ, ସୁପରଭାଇଜର୍ ରାମନାଥ ପଟ୍ଟନାୟକ, ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ସତ୍ୟନାରାୟଣ ସେଠୀ, ଧୋବା ବେହେରା, ଶୁଭେନ୍ଦୁ ଶେଖର ଜେନାଙ୍କ ସମେତ ବହୁ ଅଧିକାରୀ ଏହି ଏସ୍ଆଇଆର୍ ପ୍ରକ୍ରିୟାକୁ ନିର୍ଭୁଲ ଭାବେ ସଂପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିଥିବା ଦେଖିବାକୁ ମିଳୁଛି । ଆସିକା ଜୁନ୍ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଚାଲିବାର କାର୍ଯ୍ୟକ୍ରମ ରହିଛି । ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭର ପ୍ରଥମ ଦିବସରେ ବିଏଲ୍ଓମାନେ ନିର୍ବାଚକଙ୍କ ଘରକୁ ଘର ବୁଲି ୨ଟି ପରିଗଣନା ଫର୍ମ ପ୍ରଦାନ କରିବା ସାଙ୍ଗକୁ ନିର୍ବାଚକମାନଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ସମେତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି । ନୂତନ ତଥା ଯୋଗ୍ୟ ନାଗିରକଙ୍କୁ ଭୋଟର୍ ତାଲିକାରେ ସାମିଲ୍ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ୍ ଦେବା ସାଙ୍ଗକୁ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ଲକ୍ଷ୍ୟରେ ଶନିବାର ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆସିକା ବ୍ଳକ ଓ ପୌର ପରିଷଦ ଅଞ୍ଚଳରେ ଆରମ୍ଭ ହୋଇଥିବା ଜଣାପଡିଛି ।


