ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ
ଆସିକା (ୱାଇଏନ୍ଏସ୍) : ଆଜି ଅର୍ଥାତ୍ ମେ ମାସ ୩୧ ତାରିଖରେ ପାଳିତ ହେବ ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଯଥା ସିଗାରେଟ୍, ବିଡି, ପାନମସଲା, ଖଇନି, ଖାଇବା ଦ୍ୱାରା ମନୁଷ୍ୟ ଶରୀରରେ କିଭଳି କର୍କଟ, ହୃଦ୍ଘାତ, ଶ୍ୱାସଜନିତ ରୋଗ, ମସ୍ତଷ୍କ ଓ ଫୁସ୍ଫୁସ୍ ଏବଂ ହୃତ୍ପିଣ୍ଡକୁ ଖରାପ କରିଥାଏ ସେ ସଂକ୍ରାନ୍ତୀୟ ଭୟାବହତାକୁ ଲୋକଙ୍କ ମଧ୍ୟରେ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ମେ ମାସ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଯେଉଁମାନେ ତମାଖୁ ସେବନ କରନ୍ତି କିମ୍ବା ଧୂମପାନ କରିଥାନ୍ତି ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ହୋଇଥାଏ । କେବଳ ଯେ ଯିଏ ଧୂମପାନ କରିଥାଏ ସିଏ ଧୂମପାନ କରିବା ଦ୍ୱାରା ଅସୁସ୍ଥ ହୋଇ ରୋଗରେ ପଡିଥାଏ । ତା ସାଙ୍ଗକୁ ଧୂମପାନର ଧୂଆଁ ସଂସ୍ପର୍ଷରେ ଆସି ଅନ୍ୟ ବ୍ୟକ୍ତିମାନେ ପ୍ରଭାବିତ ହୋଇଥାନ୍ତି । ତମାଖୁ ଉଭୟ ଧୂମଯୁକ୍ତ ଓ ଧୂମବିହୀନ ମନୁଷ୍ୟର ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଯେ କ୍ଷତି କରେ ତାହା ପ୍ରାୟତଃ ସମସ୍ତଙ୍କୁ ଜଣା । ଧୂମଯୁକ୍ତ ତମାଖୁ ମନୁଷ୍ୟ ଶରୀରରେ କ୍ୟାନ୍ସର, ହୃଦ୍ରୋଗ, କିଡ୍ନୀ, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍, ପାରାଲିସିସ୍, ଶ୍ୱାସ ଆଦି ଅନେକ ରୋଗ ସୃôଷ୍ଟି କରିଥାଏ । ବିଭିନ୍ନ କ୍ଷେତ୍ରରେ ଧୂମପାନ ଓ ଗୁଟ୍ଖା ଦ୍ୱାରା ବହୁ ବ୍ୟକ୍ତି ମଧ୍ୟ ଅକାଳରେ ମୃତ୍ୟୁମୁଖରେ ପଡିଥାନ୍ତି । ୧୯୮୭ ମସିହାରୁ ସାରା ବିଶ୍ୱରେ ଧୂମପାନର ଭୟାବହତାକୁ ଅନୁଧ୍ୟାନ କରି ପ୍ରତିବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଇଆସୁଛି । ଚଳିତବର୍ଷ ଏହି ଦିବସର ବାର୍ତ୍ତା ହେଉଛି ନିକୋଟିନ୍ ଆକର୍ଷଣକୁ ପଦାରେ ପକାଇବା-ନିକୋଟିନ୍ ଏବଂ ତମାଖୁ ନିଶାକୁ ମୁକାବିଲା କରିବା । ତମାଖୁରୁ ପ୍ରସ୍ତୁତ ହେଉଥିବା ଦ୍ରବ୍ୟରେ ଏକ ବୈଧାନିକ ସତର୍କତା ଉଲ୍ଲେଖ ରହିଥାଏ ତାହା ହେଉଛି-ଧୂମପାନ ଅବା ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ସମସ୍ତେ ଧୂମପାନ ଓ ତମାଖୁ ଠାରୁ ଦୂରେଇ ରହିବା ପାଇଁ ସଚେତନ ହେବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।


