ବେଆଇନ ମଦ ଦୋକାନରେ ଚଢ଼ାଉ : ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
ଧାମନଗର (ଓ୍ବାଇଏନଏସ): ଧାମନଗର ପୋଲିସ ଏକ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ଯେ’ ବାରିକପୁର ବଜାରର ଏକ ଦୋକାନରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ମହଜୁଦ ରଖାଯାଇ ବିକ୍ରି କରାଯାଉଛି। ଧାମନଗର ଥାନା ଆଇଆଇସି ସୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ନାରାୟଣ ନାୟକଙ୍କ ନେତୃତ୍ୱରେ କନେଷ୍ଟବଳ ନୀଳମଣି ବିଳାସ ଓ ଶିବ ପ୍ରସାଦ ଦାସ ସଦଳବଳେ ରବିବାର ସନ୍ଧ୍ୟାରେ ମଦ ଦୋକାନ ଉପରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଦୋକାନରୁ ୧୭ ପେଟି ବିଦେଶୀ ମଦ ଓ ୫୦ ପେଟି ଆସ୍କା ଫର୍ଟି ସମେତ ମୋଟ ୨୬୮ ଲିଟର ଚୋରା ମଦ ଜବତ କରାଯାଇଥିଲା। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଧୂଳିଗଡ଼ିଆ ଗ୍ରାମର ଉତ୍ତମ ଜେନା ଏବଂ ଧାମନଗର ଥାନା ଅଧୀନ ମଞ୍ଜୁରୀଗଡ଼ିଆ ଅଞ୍ଚଳର ବଳରାମ ଜେନାଙ୍କୁ ଗିରଫ କରାଯାଇଥିଲା।ଧାମନଗର ଥାନାରେ କେଶ ନଂ ୨୪୦/୨୬ରେ ଏକ ମାମଲା ରୁଜୁ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏଏସଆଇ ନରେନ୍ଦ୍ର କୁମାର ରାଉତଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ସୁଭ୍ରଜିତ ଦାଶ ସୂଚନା ଦେଇଛନ୍ତି। ତେବେ ଅବକାରୀ ବିଭାଗ ଚୁପ୍ ବସିଥିବା ବେଳେ ଧାମନଗର ପୋଲିସର ଅଞ୍ଚଳରେ ବଢ଼ୁଥିବା ଚୋରା ମଦ କାରବାର ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକେ ସ୍ୱାଗତ କରିବା ସହ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରଖିବାକୁ ଦାବି କରାଯାଇଛି


