ଗଛରେ ପିଟିହେଲା ବାଇକ : ଚାଳକ ମୃତ
ଧାମନଗର (ଓ୍ବାଇଏନଏସ): ଧାମନଗର ଥାନା ଅନ୍ତର୍ଗତ ଦଇପୁର କେନାଲ ନିକଟରେ ସୋମବାର ଅପରାହ୍ନରେ ଜଣେ ବାଇକ ଚାଳକ ଗଛରେ ପିଟ ହୋଇ ମୃତ୍ୟୁ ବରଣ କରିଛନ୍ତି।ସୂଚନା ଅନୁଯାୟୀ ମୃତକ ଜଣକ ଧାମନଗର ଏନ ଏ ସି ଅଧିନ ଶାମପୁର ଗ୍ରାମର ସେକ ମଞ୍ଜୁଙ୍କ ବଡ଼ ପୁଅ ସେକ କାଲା(୪୫) ସେ ହବିବନଗର ଗ୍ରାମର ରହୁଥିଲେ। ସେକ କାଲା ଭଦ୍ରକରୁ ସାତଭଉଣି-ଚୁଡାକୁଟି ରାସ୍ତା ଦେଇ ବାଇକରେ ଧାମନଗର ଫେରୁଥିବା ବେଳେ ଦଇପୁର କେନାଲ ନିକଟ ରାସ୍ତାକଡ଼ରେ ଥିବା ଏକ ଅର୍ଜୁନ ଗଛକୁ ଧକ୍କା ଦେଇଥିଲେ। ଫଳରେ ସେ ବାଇକ୍ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକଙ୍କ ସହ ସମ୍ପର୍କୀୟମାନେ ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ। କାଲା ଟେଡ ହାଉସ କରି ସମସ୍ତଙ୍କର କାର୍ଯ୍ୟ କରିବା ସହ ଆପଣାର ହୋଇ ପାରିଥିଲେ। ଏହି ଦୁଖଦ ଘଟଣାକୁ ନେଇ ପୁରା ଅଞ୍ଚଳରେ ଶୋକ ଖେଳିଯାଇଛି। ଧାମନଗର ପୁଲିସ ଘଟଣାର ତଦନ୍ତ କରୁଛି। ମଙ୍ଗଳବାର ଗ୍ରାମରେ ଏକ କବରସ୍ତାନ ପରିସରରେ କବର ଦିଆଯାଇଛି। ସୋମବାର ସନ୍ଧ୍ୟାରେ ପୀରବାବାଙ୍କ ସାନ ନାତ ସୟଦ ଗୋଲାମ ଅହେମ୍ମଦ ହବିବି (ମସ୍ତାନ-ଏ ମଲ୍ଲତ) ସେକ କାଲାଙ୍କ ଦୁର୍ଘଟଣା ଖବର ପାଇ ସଦଳବଳେ ତାଙ୍କ ବାସଭବନରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


