ରକ୍ଷଣାବେକ୍ଷଣର ଅଭାବରୁ ନଷ୍ଟ ହେବାକୁ ବସିଲାଣି ନର୍ତ୍ତକୀଙ୍କ ଆକର୍ଷଣୀୟ ପ୍ରତିକୃତି
ଆସିକା (ୱାଇଏନ୍ଏସ୍) : ଆସିକା ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଅତୀତରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ୧୧ ନମ୍ବର ୱାର୍ଡର କୁମ୍ଭାର ସାହି ଏବଂ ୩ ନମ୍ବର ୱାର୍ଡର ଖମ୍ବେଶ୍ୱରୀପାଟଣା ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ହରିହର ହାଇସ୍କୁଲ ଛକ ନିକଟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ବିଗତ କିଛି ମାସ ତଳେ ୪ଟି ନର୍ତ୍ତକୀଙ୍କ ଆକର୍ଷଣୀୟ ପ୍ରତିକୃତି ସ୍ଥାପନ କରାଯାଇଥିଲା । ଆସିକା ସହରର ଅନ୍ୟତମ ପ୍ରମୁଖ ହରିହର ହାଇସ୍କୁଲ ଛକରେ ସ୍ଥାପିତ ହୋଇଥିବା ଏହି ଆକର୍ଷଣୀୟ ନର୍ତ୍ତକୀଙ୍କ ପ୍ରତିକୃତି ସ୍ଥଳ ସାଧାରଣ ଜନତାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସଂଜ ନଇଁବା ମାତ୍ରେ ଅଧିକାଂଶ ଯୁବପିଢୀ ହରିହର ହାଇସ୍କୁଲ ଛକରେ ସ୍ଥାପିତ ହୋଇଥିବା ସୌନ୍ଦର୍ଯ୍ୟକରଣୀ ସ୍ଥଳ ନର୍ତ୍ତକୀଙ୍କ ପ୍ରତିକୃତି ନିକଟରେ ଠିଆ ହୋଇ ସେଲ୍ଫି ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ । ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ବିଗତ କିଛି ମାସ ହେଲା ଉକ୍ତ ଆକର୍ଷଣୀୟ ନର୍ତ୍ତକୀ ଗୁଡିକ ଧୂଳିରେ ପରିପୂର୍ଣ୍ଣ ହୋଇରହିବା ସାଙ୍ଗକୁ ନଷ୍ଟ ହେବାକୁ ବସିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ବିଗତ କିଛି ମାସ ହେଲା ଆସିକାରେ ପ୍ରଶାସନ ପକ୍ଷରୁ ନୂତନ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଉଥିଲା ବେଳେ ଯେଉଁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଏବଂ ଅଲୋଡା ହେବାକୁ ବସିଲାଣି ସେଗୁଡିକୁ ପୁନରୁଦ୍ଧାର କରିବା ଦିଗରେ ପଦକ୍ଷେପ ନିଆନଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ୧୧ ନମ୍ବର ୱାର୍ଡ ଅଧିନସ୍ଥ କୁମ୍ଭାର ସାହି ଏବଂ ୩ ନମ୍ବର ୱାର୍ଡର ଖମ୍ବେଶ୍ୱରୀପାଟଣା ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ହରିହର ହାଇସ୍କୁଲ ଛକରେ ଅତୀତରେ ସ୍ଥାପିତ ହୋଇଥିବା ଆକର୍ଷଣୀୟ ନର୍ତ୍ତକୀଙ୍କ ପ୍ରତିକୃତିଗୁଡିକ ରକ୍ଷଣାବେକ୍ଷଣ ଓ ସଫାସୁତରା ଅଭାବରୁ ଧୂଳିର ଆବରଣ ଜମାଟ ବାନ୍ଧି ରହିଥିବା ବେଳେ ସୌନ୍ଦର୍ଯ୍ୟକରଣ ଲାଇଟ୍ ଗୁଡିକ ଜଳୁନଥିବା ଏବଂ ଝରଣାରେ ଲାଗିଥିବା ମୋଟରରେ ପାଣି ଉଠୁନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ସ୍ଥାପିତ ହୋଇ ଜନମାନସରୁ ଲିଭିବାକୁ ବସିଥିବା ଏହି ଆକର୍ଷଣୀୟ ନର୍ତ୍ତକୀଙ୍କ ପ୍ରତିକୃତିଗୁଡିକ ପୁଣି କେବେ ତାର ଶୋଭାକୁ ଫେରିପାଇବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଆସିକା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଧୋବଧାଉଳିଆ ଖୋଳ ପକାଇ ବିଭିନ୍ନ ସଭା ସମିତିରେ ଭାଷଣବାଜି ମାରୁଥିବା କେତେକ ରାଜନେତା ଏ ସଂକ୍ରାନ୍ତରେ ସବୁ ଜାଣି ମଧ୍ୟ ନୀରବ ରହିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସରକାରଙ୍କ ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଅବହେଳିତ ହୋଇପଡିରହିଥିବା ହରିହର ହାଇସ୍କୁଲ ଛକର ଆକର୍ଷଣୀୟ ନର୍ତ୍ତକୀଙ୍କ ପ୍ରତିକୃତିକୁ ପୁନରୁଦ୍ଧାର କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଅତୀତରେ ହରିହର ହାଇସ୍କୁଲ ଛକରେ ଯେଉଁ ନର୍ତ୍ତକୀଙ୍କ ପ୍ରତିକୃତି ସ୍ଥଳ ସହରବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବର୍ତ୍ତମାନ ତାହା କଦର୍ଯ୍ୟ ଅବସ୍ଥାକୁ ଆସିବା ସହ ସୌନ୍ଦର୍ଯ୍ୟ ହରାଇବାକୁ ବସିଛି ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଆସିକା ସହରର ହରିହର ହାଇସ୍କୁଲ ଛକରେ ସ୍ଥାପିତ ହୋଇଥିବା ନର୍ତ୍ତକୀଙ୍କ ଆକର୍ଷଣୀୟ ପ୍ରତିକୃତି ସ୍ଥଳକୁ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


