ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ
ଆସିକା (ୱାଇଏନ୍ଏସ୍) :ବିଶ୍ୱରେ ଶିଶୁ ଶ୍ରମକୁ ସଂପୁର୍ଣ୍ଣ ନିଷେଧ କରିବା ପାଇଁ ପ୍ରତି ବର୍ଷ ଜୁନ ମାସ ୧୨ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି। ଶିଶୁ ଶ୍ରମର କୁପ୍ରଭାବ ଏବଂ ଏହା ସେମାନଙ୍କ ଶାରୀରିକ ତଥା ମାନସିକ ବିକାଶକୁ କିପରି ବାଧାପ୍ରାପ୍ତ କରିଥାଏ ସେ ସଂପର୍କରେ ଜନସାଧାରଣଙ୍କୁ ଏହି ଦିବସରେ ସଚେତନ କରାଯାଇଥାଏ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଗତ କିଛି ବର୍ଷ ହେଲା ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ପାରିବାରିକ ଆର୍ଥିକ ଦୂରବସ୍ଥା ହେଉ କିମ୍ବା ଦାରିଦ୍ର୍ୟ, ନିରକ୍ଷରତା, ବେକରୀ ଏବଂ ସଚେତନତାର ଅଭାବ ସାଙ୍ଗକୁ ଅନ୍ୟାନ୍ୟ କେତେକ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଟାନରେ ଖଟୁଥିବା ଅଭିଯୋଗ ହେଉଛି। ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସରକାରୀ ନୀତିନୀୟମ ଓ କଟକଣା କେତେକ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆସିକା ଅଞ୍ଚଳରେ ବାଟବଣା ହୋଇଯାଇଥିବା ଚର୍ଚ୍ଚା ହେଉଛି। ଶିଶୁ ଶ୍ରମିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଆସିକା ଅଞ୍ଚଳରେ ଶିଶୁ ଶ୍ରମିକ ଥମିବାର ନା ନେଉନି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ହୋଟେଲ, ଗ୍ୟାରେଜ୍, ରୁଟି ଫେକ୍ଟରୀ ସମେତ ବହୁ ବ୍ୟବସାୟ ପ୍ରତିଷ୍ଟାନ ଗୁଡିକରେ ସରକାରୀ ନୀତିନିୟମକୁ ଉଲଂଘନ କରି କେତେକ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଶିଶୁ ଶ୍ରମିକ ପ୍ରଥାକୁ ବିଲୋପ କରିବା ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ନିରବଦ୍ରଷ୍ଟା ସାଙ୍ଗକୁ ରୀତିମତ ଚଢାଉ କରାଯାଉ ନଥିବା ଯୋଗୁଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ପରିବାରର ଆର୍ଥିକ ଦୂରାବସ୍ଥା ହେଉ କିମ୍ବା ପରିବାରବର୍ଗଙ୍କ ନିରକ୍ଷରତା ଯୋଗୁଁ ହସ ଖେଳ ଓ ପାଠପଢା ବୟସରେ ବହୁ ଶିଶୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଟାନରେ କାମ କରୁଥିବା ଦେଖିବାକୁ ମିଳୁଛି। ଯାହାରି ଫଳରେ ଶିଶୁ ମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଶିଶୁ ଅଧିକାର ଆଇନରେ କମ୍ ବର୍ଷର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରାଯିବା ଦଣ୍ଡନୀୟ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଏପରି ଅନେକ ବ୍ୟବସାୟ ପ୍ରତିଷ୍ଟାନ ଓ ବାସଗୃହ ରହିଛି ଯେଉଁଠି ୧୦ବର୍ଷରୁ ୧୮ବର୍ଷ ବୟସର ବହୁ ଶିଶୁ କାମ କରୁଛନ୍ତି। ଏହି ଶିଶୁ ମାନଙ୍କୁ ଉଦ୍ଧାର କରିବା ଦାୟିତ୍ୱ ହେଉଛି ପ୍ରଶାସନର। ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ଦିଗରେ ନିୟମିତ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହେଉଛି। ଶିଶୁ ଶ୍ରମିକମାନଙ୍କ ଉଦ୍ଧାର କରି ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ ମସିହାରେ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଆସିକାରେ ମଧ୍ୟ ଦୁଇଟି ଜାତୀୟ ଶିଶୁ ଶ୍ରମିକ ସ୍ୱତନ୍ତ୍ର ବିଦ୍ୟାଳୟ ଖୋଲିଥିଲା । ସେଠାରେ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଶିକ୍ଷାଦାନ ଦିଆଯାଉଥିଲା । ତେବେ ୨୦୧୪ ମସିହାରେ ସେହି ବିଦ୍ୟାଳୟ ଗୁଡିକ ବନ୍ଦ କରିଦିଆଯାଇଥିଲା । ଯାହାରି ଫଳରେ ସେବେଠାରୁ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ସରକାର ଶିଶୁ ମାନଙ୍କ ପାଇଁ ମାଗଣାରେ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରି ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଓ ବହି ବି ଯୋଗାଇ ଦେଉଛନ୍ତି । ଆସିକା ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ସହକାରୀ ଶ୍ରମ ଅଧିକାରୀ ବି.ହୃଷିକେଶ ରାଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେହି କହିଲେ ଅତିଶୀଘ୍ର ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଧରପଗଡ ଅଭିଯାନ ଆରମ୍ଭ କରାଯିବ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଅଞ୍ଚଳରେ ଆଶାତୀତ ଭାବେ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ଶିଶୁ ଶ୍ରମିକ ଭଳି କୁପ୍ରଥାକୁ ସମ୍ପୁର୍ଣ୍ଣ ରୂପେ ବନ୍ଦ କରିବା ସହ ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବା ବ୍ୟବସାୟ ପ୍ରତିଷ୍ଟାନର ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି।


