ଟେକନିକାଲ୍‍ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ଗ୍ରହଣ

ଆସିକା  (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡିଶା ଭୁବନେଶ୍ୱରଙ୍କ ଚିଠି ନମ୍ବର ୧୪୩୪୬ ତା.୦୨.୦୬.୨୦୨୬ ପ୍ରକାରେ ଆସିକା କଲେଜଛକ ସ୍ଥିତ ଟେକନିକାଲ୍‍ ହାଇସ୍କୁଲର ନୂତନ ପ୍ରଧାନଶିକ୍ଷକ ରୂପେ ପରମାନନ୍ଦ ଜାନି ଗୁରବାର ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ସେ ଶିକ୍ଷାନୁଷ୍ଠାନର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ପଣ୍ଡାଙ୍କ ଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମ ପଞ୍ଚାୟତର ଖୁକୁଣ୍ଡିଆ ଗ୍ରାମରେ ଥିବା ଖୁକୁଣ୍ଡିଆ ଓ ବାଙ୍ଗରଡା ହାଇସ୍କୁଲରେ ଛାତ୍ରବତ୍ସଳ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟରତ ଥିବା ପରମାନନ୍ଦ ଜାନିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ଦିଆଯାଇ ଆସିକା କଲେଜଛକ ସ୍ଥିତ ଟେକନିକାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଆସିକା ଟେକନିକାଲ୍‍ ହାଇସ୍କୁଲରେ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତି ପାଇଥିବା ଶିକ୍ଷା ବିଭାଗର ଦକ୍ଷ, ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଅଫିସର୍‍ ପରମାନନ୍ଦ ଜାନି ଦାୟିତ୍ୱ ଗ୍ରହଣ କରିବା ପରେ ଶିକ୍ଷାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ସାଙ୍ଗକୁ ସମସ୍ତଙ୍କ ସହଯୋଗ, ସକରାତ୍ମକ ଚିନ୍ତାଧାରା, ସମୟାନୁବର୍ତ୍ତିତା ଏବଂ ଦାୟିତ୍ୱବୋଧକୁ ସର୍ବାଧିକ ପ୍ରାଥମିକତା ଓ ଗୁରୁତ୍ୱ ଦେଇ ସମସ୍ତେ କାର୍ଯ୍ୟ କରି ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ରାଜ୍ୟର ଏକ ଅଗ୍ରଣୀ ଓ ଆଦର୍ଶ ହାଇସ୍କୁଲରେ ପରିଗଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସିକା କଲେଜଛକ ସ୍ଥିତ ଟେକନିକାଲ୍‍ ହାଇସ୍କୁଲର ନୂତନ ପ୍ରଧାନଶିକ୍ଷକ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ପରମାନନ୍ଦ ଜାନିଙ୍କୁ ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ପଣ୍ଡା, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, କୈଳାଶ ଚନ୍ଦ୍ର ଗୌଡ, ଲକ୍ଷ୍ମୀ ଜେନା, ଦେବାଶିଷ ପାଣିଗ୍ରାହୀ, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ସୁବାଶିଷ ନାହାକ, କିରାଣୀ ଅନିଲ୍‍ କୁମାର ଜେନା, କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ ଏବଂ ବାସୁଦେବ ପ୍ରଧାନ ଓ ଜୟଦେବ ରାଉତ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା କଲେଜଛକ ସ୍ଥିତ ଟେକନିକାଲ୍‍ ହାଇସ୍କୁଲରେ ଗତ ୨୦୨୫ ମସିହା ଜୁଲାଇ ମାସ ପହିଲାରୁ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରିମିତା ପଣ୍ଡା ଦାୟିତ୍ୱରେ ରହି ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ସହ ବିଦ୍ୟାଳୟର ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ