ଏସ୍ଆଇଆରରେ ସଫଳତା ପାଇଁ ବିଏଲଓ ସମ୍ବର୍ଦ୍ଧିତ
ହାଟଡିହି (ଓ୍ବାଇଏନଏସ): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତଥା ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ –୨୦୨୬ ଚାଲୁଅଛି l ଉକ୍ତ ପ୍ରକ୍ରିୟାରେ ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିବା ସହ ତାକୁ ସଂଗ୍ରହ କରି ଡିଜିଟାଇଜେସନ କରିବାରେ ସକ୍ରିୟ ଅଛନ୍ତି l ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ଉପଖଣ୍ଡର ବୁଥ ନମ୍ବର ୨୧୪ କାହାଳିଆଗଡିଆର ବୁଥ ସ୍ତରୀୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମ ସଠିକ୍ ଭାବେ ପରିଚାଳନା କରିବା ସହ ସର୍ବ ପ୍ରଥମେ ଦାୟିତ୍ଵର ସହ ସମାପନ କରିଥିବା ହେତୁ ଆନନ୍ଦପୁରର ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ଏଇ ଅବସରରେ ଡେପୁଟି କଲେକ୍ଟର ବନଜା ମଞ୍ଜରି ନାୟକ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ଉତ୍ସାହିତ କରିଥିଲେ l ବୁଥ ସ୍ତରୀୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କ ଏଇ ସଫଳତାରେ ବିଡିଓ ରଞ୍ଜନ କୁମାର ପରିଡା, ତହସିଲଦାର ସଞ୍ଜୟ ସାମନ୍ତରାୟ, ଜିପିଡିଓ ଦେବ ଜ୍ୟୋତି ଦାଶ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l


