ପାରଳାରେ ଆଗେଇଲା ରଥ ନିର୍ମାଣ କାର୍ଯ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ପବିତ୍ର ରଥଯାତ୍ରା ନିମନ୍ତେ ପାରଳା ରାଜଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ୟ ଆଗେଇଛି। ବର୍ତ୍ତମାନର ଉତ୍ତପ୍ତ ଖରାକୁ ଖାତିର ନକରି ପାରଳା ରାଜଦାଣ୍ଡ ସ୍ଥିତ ରଥଖଳାରେ ରଥ ନିର୍ମାଣ କରୁଥିବା କାରିଗରମାନେ ଦିନରାତି ରଥ ନିର୍ମାଣରେ ଲାଗି ପଡିଛନ୍ତି. ବର୍ତ୍ତମାନ 3 ଗୋଟି ରଥର ଚକ, ଅଖ, ଦଣ୍ଡା ଓ ଅନ୍ୟାନ୍ୟ ଅଂଶ ନିର୍ମାଣ କାମ ଚାଲିଛି। ରଥ ନିର୍ମାଣର ମୁଖ୍ୟ କାରିଗର ଅଶୋକ ମହାରଣା କହିଛନ୍ତି ଯେ, ଆମ୍ଭମାନଙ୍କ ପୂର୍ବପୁରୁଷ ଅମଳରୁ ତିନି ଠାକୁରଙ୍କ ପବିତ୍ର ରଥ ନିର୍ମାଣ କାର୍ଯ୍ୟ ତୁଲାଇ ଆସୁଅଛୁ । ଚଳିତ ବର୍ଷ ମଧ୍ୟ ଠିକ ସମୟରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ରଥଯାତ୍ରା ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବ. ଗଜପତି ପ୍ରଶାସନ ଚଳିତ ବର୍ଷର ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସଫଳ ରୂପାୟନ ପାଇଁ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି.


