ବିନା ଘୋଡଣୀରେ ଖୋଲାରେ ଯାଉଛି ଆବର୍ଜନା: ପୌର ପରିଷଦର ନିଦ୍ରା ଭାଙ୍ଗିବ କେବେ?

ଆସିକା (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧୀନସ୍ଥ ବିଭିନ୍ନ ୱାର୍ଡର ଆବର୍ଜନା ମହଜୁଦ ପଏଣ୍ଟରୁ ବିନା ଘୋଡଣୀରେ ଟ୍ରାକ୍ଟରରେ ଏମ୍‍ସିସି ଏବଂ ଏମ୍‍ଆର୍‍ଏଫ୍‍ ପରିସରକୁ ଆବର୍ଜନା ସ୍ଥାନାନ୍ତର ହେଉଥିବା ଘଟଣାକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ସ୍ୱଚ୍ଛ, ସ୍ୱନ୍ଦର ଆସିକା ନାରା ଦେଉଥିବା ଆସିକା ପୌର ପରିଷଦ ବିଗତ କିଛି ମାସ ହେଲା ସ୍ୱଚ୍ଛତା ଠାରୁ ବହୁ ଦୂରରେ ବୋଲି ଗଳିକନ୍ଦିରେ ଚର୍ଚ୍ଚା ଜୋର୍‍ ଧରିଥିବା ପରିଲକ୍ଷିତ ହେଉଛି । ଆସିକା ସହରର ୧୮ଟି ୱାର୍ଡର ଅଧିକାଂଶ ସାହିବସ୍ତିର ପରିମଳ ଦାୟିତ୍ୱ ଘରୋଇ ଠିକାସଂସ୍ଥା ଅଧୀନରେ ପରିଚାଳିତ ହେଉଥିଲା ବେଳେ ବିନା ଘୋଡଣୀରେ ଖୋଲାରେ ଆବର୍ଜନା ସ୍ଥାନାନ୍ତର ହେଉଥିଲେ ବି ଏହାକୁ ବନ୍ଦ କରିବା ଦିଗରେ ପୌର ପରିଷଦର ନୀରବତାକୁ ନେଇ ସାଧାରଣରେ ନାନା କଥା ଶୁଣିବାକୁ ମିଳୁଥିବା ଦେଖିବାକୁ ମିଳୁଛି । ସହରର ବିଭିନ୍ନ ସାହିବସ୍ତିର ଆବର୍ଜନା ମହଜୁଦ ପଏଣ୍ଟରୁ ଟ୍ରାକ୍ଟର ମାଧ୍ୟମରେ ଅଳିଆ ଆବର୍ଜନା ସ୍ଥାନାନ୍ତର କରାଯାଉଥିଲା ବେଳେ ଟ୍ରାକ୍ଟରର ଡାଲାରେ ଜରି ପାଲ ଘୋଡାଯାଉନଥିବା ଯୋଗୁଁ ବିଭିନ୍ନ ସମୟରେ ଟ୍ରାକ୍ଟର ଡାଲାରୁ ଆବର୍ଜନା ରାସ୍ତାରେ ପଡି ଦୁର୍ଗନ୍ଧ ହେବା ସାଙ୍ଗକୁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଥିବା ଅଭିଯୋଗ ହେଉଛି । ଆସିକା ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥାକୁ ସୁବ୍ୟସ୍ଥିତ ଢଙ୍ଗରେ ପରିଚାଳନା କରିବା ପାଇଁ ମାସିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ବିନା ଘୋଡଣୀରେ ଟ୍ରାକ୍ଟରରେ ଆବର୍ଜନା ସ୍ଥାନାନ୍ତର ହେଉଥିଲେ ବି ଏହାକୁ ବନ୍ଦ କରିବା ଦିଗରେ ଘରୋଇ ଠିକାଦାର ଓ ଦାୟିତ୍ୱରେ ଥିବା ପରିମଳ କର୍ମଚାରୀଙ୍କ ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଆବର୍ଜନା ପଏଣ୍ଟରୁ ଟ୍ରାକ୍ଟର ମାଧ୍ୟମରେ ଆବର୍ଜନା ନେବା ସମୟରେ ସବୁଜ କପଡାରେ ଟ୍ରାକ୍ଟର ଗାଡିର ଡାଲାକୁ ଆଚ୍ଛାଦିତ କରିବା ଏବଂ ଗାଡିର କ୍ଷମତା ଅନୁଯାୟୀ ଆବର୍ଜନା ବୋଝେଇ କରିବା ନିୟମ ଥିଲେ ବି ତାହା ବିଭିନ୍ନ ସମୟରେ ଉପଯୁକ୍ତ ତଦାରଖ ଅଭାବରୁ ଆସିକା ସହରରେ ବାଟବଣା ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ କଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆବର୍ଜନା ସ୍ଥାନାନ୍ତର ହେଉଥିବା ଟ୍ରାକ୍ଟର ଗାଡିରେ ଘୋଡଣୀ ଆଚ୍ଛାଦିତ କରିବା ଦିଗରେ ପଦକ୍ଷେପ ନେବାକୁ କେଉଁ କାରଣରୁ ବିନା ଘୋଡଣୀରେ ଆବର୍ଜନା ସ୍ଥାନାନ୍ତର ହେଉଛି ତାହାର ଏକ ନିରପେକ୍ଷ ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ