ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପତଞ୍ଜଳୀ ଯୋଗ ସମିିତି ଓ ଭାରତ ସ୍ୱାଭିମାନ ଆନୁକୂଲ୍ୟରେ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍ୱାଭିମାନ ଜିଲା ସଂଯୋଜକ ତଥା ଯୋଗ ଗୁରୁ ଧରଣୀଧର କରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଆଗରପଡା ଥାନାଧିକାରୀ ରାଜେଶ କୁମାର ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଶିବିରକୁ ଉଦଘାଟନ କରିବା ସହ ନିୟମିତ ଯୋଗାଭ୍ୟାସ କଲେ ମନ ଓ ଶରୀର ସୁସ୍ଥ ରହେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଅଶୋକ କୁମାର ପରିଡା, ରାମକୃଷ୍ଣ ସ, ପ୍ରତାପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ୪୫ ଜଣ ସାଧକ ଯୋଗ ଦେଇଥିଲେ । ପତଞ୍ଜଳୀ ଯୋଗ ପୀଠର ପ୍ରତିଷ୍ଠାତା ବିଶ୍ୱ ଯୋଗ ବୋର୍ଡର ସଭାପତି ବିଶ୍ୱ ଯୋଗ ଗୁରୁ ବାବା ରାମଦେବଙ୍କ ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ଏହି ସାଧକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ସେମାନେ ଯୋଗ ଶିକ୍ଷା ଗ୍ରହଣ ପରେ ଶିକ୍ଷକ ଭାବରେ ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦି ସ୍ଥାନରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ନିଯୁକ୍ତିରେ ଅଂଶ ଗ୍ରହଣ କରିବା ସହିତ ଗାଁ ଗାଁରେ ଯୋଗ ଶିକ୍ଷା ପ୍ରଦାନ କରି ସୁସ୍ଥ ଭାରତ ଗଠନ କରି ପାରିବେ ବୋଲି ଜଣାଯାଇଛି । ଶିବିରରେ ଯୋଗ ଶିକ୍ଷକ ବୃନ୍ଦାବନ ବେହେରା ପ୍ରାଣାୟମ ଶିକ୍ଷା ପ୍ରଦାନ କରିଥିବା ବେଳେ ଯୋଗ ଶିକ୍ଷକ ମଳୟ ରାଉତ, କାଳନ୍ଦି ପାତ୍ର, ପର୍ଶୁରାମ ପୁହାଣ, ଆରତୀ ପାଣିଗ୍ରାହୀ, ଗଦାଧର ଦାସ, ଆଶାରାଣୀ ମୁଦୁଲି, ଯଶୋଦା ଜେନା, ନର୍ମଦା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।


