ଓଡ଼ିଶାରେ ବିକାଶର ଦୁଇ ବର୍ଷ: ସୁଶାସନ ଓ ଜନକଲ୍ୟାଣର ନୂଆ ଅଧ୍ୟାୟ

ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ବୃହତ୍ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ବିଗତ ଦୁଇ ବର୍ଷର ଉଲ୍ଲେଖନୀୟ ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ, ସିମୁଳିଆ ଶ୍ରୀଯୁକ୍ତ ପଦ୍ମ ଲୋଚନ ପଣ୍ଡା, ମାନ୍ୟବର ବିଧାୟକ, ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟିକା ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବିଧାୟକ ନୀଳଗିରି ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ବିଜେପି ଜିଲ୍ଲା ସଭାପତି, ବାଲେଶ୍ୱର ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା, ଉତ୍ତର ବାଲେଶ୍ୱର ବିଜେପି ସଭାପତି ଡଃ ପ୍ରଦୀପ କୁମାର ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ମମତା ମହାପାତ୍ର ଓ ସୁଷମା ରାଣୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷର ଶାସନକାଳ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଯୁଗାନ୍ତକାରୀ ସମୟ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି, “ଆମ ସରକାର ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛି। ବାଲେଶ୍ୱର ଜିଲ୍ଲାରେ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ଉଦ୍ୟମ କରାଯାଇଛି, ତାହା ଆଜି ଫଳପ୍ରଦ ହେଉଛି।” ସେହିଭଳି ବାଲେଶ୍ୱର ଜିଲ୍ଲାର ପ୍ରଗତି ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ଆଲୋକପାତ କରିଥିଲେ I  ଠିକ ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସଫଳତା ସମ୍ପର୍କରେ ମନ୍ତବ୍ୟ ଦେଇ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ଆଜି ଶିଖର ସ୍ଥାନରେ ପହଁଚିଛି । ଗରିବ କଲ୍ୟାଣ, ଭିତ୍ତିଭୂମି ବିକାଶ ଓ ଡିଜିଟାଲ୍ କ୍ରାନ୍ତି ମାଧ୍ୟମରେ ଭାରତୀୟ ଜନଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଅଭୂତପୂର୍ବ। ଓଡ଼ିଶା ମଧ୍ୟ ଏହି ବିକାଶ ପ୍ରକ୍ରିୟାରେ ସମଭାଗୀ ହୋଇ ପ୍ରଗତି ପଥରେ ଅଗ୍ରସର ହେଉଛି।” ସାମ୍ବାଦିକ ସମ୍ମିଳନୀ ପରେ, ଉପ-ମୁଖ୍ୟମନ୍ତ୍ରୀ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ। ଏଥି ମଧ୍ୟରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AGY) କାର୍ଯ୍ୟାଦେଶ, ମୋବାଇଲ୍ ସହାୟତା, ମଧୁବାବୁ ପେନ୍‌ସନ୍ ଯୋଜନା, ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY), ଲକ୍ଷପତି ଦିଦି ସାର୍ଟିଫିକେଟ୍ ଏବଂ ରାସନ୍ କାର୍ଡ ଅନ୍ତର୍ଭୁକ୍ତ ଥିଲା। ଏହି ଯୋଜନାଗୁଡ଼ିକ ଯୋଗୁଁ ବାଲେଶ୍ୱର ଜିଲ୍ଲାର ହଜାର ହଜାର ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଛନ୍ତି। ଏହା ପରେ ଉପ-ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ରଭାବଶାଳୀ ବ୍ୟକ୍ତିବିଶେଷ (Influencers)ଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା କରିଥିଲେ। ସେ ସେମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଆଜିର ଯୁଗରେ ସୂଚନା ସମ୍ପ୍ରସାରଣରେ ସୋସିଆଲ ମିଡ଼ିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଜନକଲ୍ୟାଣକାରୀ ସୂଚନାକୁ ସଠିକ୍ ଭାବେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେମାନଙ୍କୁ ସକ୍ରିୟ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ