ବେଆଇନ ଇଟାଭାଟି ଉପରେ ପ୍ରଶାସନର ବୁଲଡୋଜର ଚଢାଉ
ଧାମନଗର(ଓ୍ବାଇଏନଏସ): ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିବା ୧୧ ଘଟିକା ଅତିରିକ୍ତ ତହସିଲଦାର ପଲ୍ଲିଭାରତ ମହାଳିକ,ରାଜସ୍ବ ପରିଦର୍ଶକ ଗିରୀଷ ଚନ୍ଦ୍ର ନାୟକ,ଆର ଆଇ ଚୁଲବୁଲି ସିଂ ପ୍ରମୁଖ ଉପସ୍ଥିତ ରହି ବୁଲଡୋଜର ଲଗାଇ ଇଟାଭାଟାକୁ ଭାଙ୍ଗି ଦିଆଯାଇଛି।ଧାମନଗର ତହସିଲ ଅନ୍ତର୍ଗତ ଦେହୁଡ଼ିଆନନ୍ଦପୁର ପଞ୍ଚାୟତର ପାହାଡ଼ାପୁର ଗ୍ରାମରେ ବେଆଇନ ଭାବେ ପରିଚାଳିତ ହେଉଥିବା ୩ଟି ନାଲି ଇଟା ଭାଟିକୁ ଉଚ୍ଛେଦ କରାଯାଇଛି। ପରିବେଶ ପ୍ରଦୂଷଣ ଏବଂ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ଆଧାରରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗ୍ରାମର ସୁଧାଂଶୁ ଶେଖର ଦାଶ, ଜ୍ୟୋତିରଞ୍ଜନ ପୋଥାଳ ଏବଂ ରଞ୍ଜନ ପୃଷ୍ଟିଙ୍କ ଦ୍ୱାରା ଉକ୍ତ ଇଟା ଭାଟିଗୁଡ଼ିକ ପରିଚାଳନା କରାଯାଉଥିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପୂର୍ବରୁ ନୋଟିସ ଜାରି କରାଯାଇଥିଲା। ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାଟି ହଟାଯାଇ ନଥିବାରୁ ବୁଧବାର ବୁଲଡୋଜର ସହାୟତାରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା।ଧାମନଗରର ଅତିରିକ୍ତ ତହସିଲଦାର ପଲ୍ଲୀ ଭାରତୀ ମହାଳିକ, କନିଷ୍ଠ ଖଣି ଅଧିକାରୀ ସୌମ୍ୟ ରଞ୍ଜନ ଦ୍ୱିବେଦୀ, ସୁପରଭାଇଜର ଗିରିଶ ଚନ୍ଦ୍ର ନାୟକ, ରାଜସ୍ୱ ନିରୀକ୍ଷକ ଚୁଲବୁଲ ସିଂ ଏବଂ ପୋଲିସ ବାହିନୀଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଉଚ୍ଛେଦ ଅଭିଯାନ ସମ୍ପନ୍ନ ହୋଇଥିଲା।ପ୍ରଶାସନ ସୂତ୍ରରୁ ପ୍ରକାଶ ଯେ, ବେଆଇନ ଖଣିଜ କାରବାର ଓ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଏବଂ ଉଚ୍ଛେଦ ଅଭିଯାନ ଜାରି ରହିବ। ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ବେଳେ ପରିବେଶ ସୁରକ୍ଷା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।


