ଶିବ ପାର୍ବତୀଙ୍କ ବିବାହ ଉତ୍ସବ
ଛତ୍ରପୁର (ଓ୍ବାଇଏନଏସ) :ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳ ଚଳଚଂଚଳ ହୋଇପଡିଛି । ସହରରେ ଥିବା ସମସ୍ତ ଶୈବ ପୀଠରେ ଦେବ ଦମ୍ପତ୍ତିଙ୍କ ବିବାହ ରିତୀନିତୀରେ ସମ୍ପନ୍ନ ହୋଇଛି । ସହରର ଆଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ବର ପକ୍ଷରୁ ବି. ରଞ୍ଜିତ ଓ ତାଙ୍କ ଧର୍ମପତ୍ନୀ ବି. ପ୍ରିୟା ଏବଂ କନ୍ୟା ପକ୍ଷରୁ ଏ. ନାରାୟଣ ରାଓ ଓ ତାଙ୍କ ଧର୍ମପତ୍ନୀ ଏ. ବୁଲି ଆମ୍ମା ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ସେହିପରି ନୀଳକଣ୍ଠେଶ୍ଵର ମନ୍ଦିରରେ ବର ପକ୍ଷରୁ କେ. କଲ୍ୟାଣ କୁମାର ଓ ଧର୍ମପତ୍ନୀ କେ. ଲଳିତା ଏବଂ କନ୍ୟା ପକ୍ଷରୁ ସୂର୍ଯ୍ୟନାରାୟଣ ପଣ୍ଡା ଓ ଧର୍ମପତ୍ନୀ ରାଧାରାଣୀ ପଣ୍ଡା ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ l ବିବାହ ପୂର୍ବରୁ ମହାଦେବଙ୍କୁ ପାଲିଙ୍କିରେ ବସାଇ ବାଜାବାଦ୍ୟ, ଶଙ୍ଖମହୁରୀ, ହୁଳୁହୁଳୀରେ ସହର ପରିକ୍ରମା କରିବା ପରେ ବିବାହ ମଣ୍ଡପରେ ପହଂଚିଥିଲେ । ସେଠାରେ ମାତା ପାର୍ବତୀଙ୍କ ସହ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସହ ଯୋଗ କରିଥିଲେ । ସେହିପରି ସହରରେ ଥିବା ବିରେଶ୍ୱର, ବିଶେଶ୍ୱର, ହରିଣେଶ୍ୱର, ଧବଳେଶ୍ୱର, ଚନ୍ଦ୍ରଶେଖର, ନୀଳକଣ୍ଠେଶ୍ୱର, କାଶୀ ବିଶ୍ୱନାଥ ଆଦି ପୀଠରେ ମଧ୍ୟ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସୁରୁଖୁରରେ ସମ୍ପାଦନ ହୋଇଥିବା ଦେଖିବାକୁ ମିଳିଥିଲା ।


