ସମସ୍ୟା ଘେରରେ ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ

ଆସିକା (ୱାଇଏନ୍‍ଏସ୍‍) : ଦେବଭାଷା ସଂସ୍କୃତର ସୁରକ୍ଷା ଓ ସମୃଦ୍ଧିରେ ସରକାରୀ ଅବହେଳାକୁ ନେଇ ଆସିକା ଅଞ୍ଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ବିଦ୍ୟାଳୟ ଓ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅତୀତ ଇତିହାସ ବେଶ୍‍ ସମୃଦ୍ଧି ହୋଇଥିଲା ବେଳେ ଆମ ସଭ୍ୟତାର ସର୍ବପ୍ରାଚୀନ ଭାଷା ସଂସ୍କୃତର ବିକାଶ ଦିଗରେ ଏହି ଶିକ୍ଷାନୁଷ୍ଠାନର ଅବଦାନ ଅବର୍ଣ୍ଣନୀୟ । ଅତୀତରେ ଏକଦା ସଂସ୍କୃତ ଶିକ୍ଷାର ସମୃଦ୍ଧି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନ କେବଳ ଆସିକା କାହିଁକି ସମଗ୍ର ଗଞ୍ଜାମ ଜିଲ୍ଲାର ବେଶ୍‍ ସୁଖ୍ୟାତି ଅର୍ଜନ କରିଥିଲା । ଦେବଭାଷା ସଂସ୍କୃତର ସୁରକ୍ଷା ଓ ସମୃଦ୍ଧି ପ୍ରତି ସରକାର କେତେ ଦୂର ଗୁରୁତ୍ୱ ଦେଉଛନ୍ତି ତାହାର ଏକ ଜ୍ଜଳନ୍ତ ଦୃଷ୍ଟାନ୍ତ ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଏବଂ ମେକ୍‍ ମାଇକେଲ୍‍ ସଂସ୍କୃତ ବିଦ୍ୟାଳୟରେ ଦେଖିବାକୁ ମିଳୁଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ପଦବୀ ସାଙ୍ଗକୁ ସଂସ୍କୃତ ବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ହେଡ୍‍ ପଣ୍ଡିତ ସାଙ୍ଗକୁ ଅନ୍ୟାନ୍ୟ ପଦବୀ ପୂରଣ କରିବା ଦିଗରେ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆନଗଲେ ଆଗାମୀ କିଛି ଦିନ ପରେ ଏହି ପୁରାତନ ଶିକ୍ଷାନୁଷ୍ଠାନ ଜନମାନସରୁ ଲିଭିଯିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ଆଲୋଚିତ ହେଉଛି । ପ୍ରାଥମିକ ଶିକ୍ଷା ଓ ଉଚ୍ଚ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରି ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରୁଥିଲା ବେଳେ ସଂସ୍କୃତ ଶିକ୍ଷାର ବିକାଶ କ୍ଷେତ୍ରରେ ଆବଶ୍ୟକତା ଅନୁଯାୟୀ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହେଉଛି । ସଂସ୍କୃତ ଶିକ୍ଷାର ବିକାଶ ଲାଗି ଆସିକା ପୌର ପରିଷଦ ଅଧିନସ୍ଥ ନିରଞ୍ଜନ ନଗରରେ ୧୮୮୫ ମସିହାରେ ସ୍ଥାପିତ ହୋଇଥିବା ଆସିକା ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ୧୯୮୪ ମସିହାରେ ଗଢିଉଠିଥିବା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ବିଗତ କିଛିବର୍ଷ ହେଲା ନାନା ସମସ୍ୟାରେ ଗତି କରୁଥିଲେ ମଧ୍ୟ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଲାଗିରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ଶିକ୍ଷା ବିଭାଗର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଆଠଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ମଧ୍ୟରୁ ଦୀର୍ଘଦିନ ହେଲା ସ୍ଥାୟୀ ଅଧ୍ୟକ୍ଷ ପଦବୀ ଠାରୁ ଆରମ୍ଭ କରି ସାହିତ୍ୟ, ବ୍ୟାକରଣ, ଇଂରାଜୀ, ଦର୍ଶନ ବିଭାଗର ଅଧ୍ୟାପକ ପଦବୀ ଖାଲି ପଡିଥିଲା ବେଳେ ପିଅନ, ରାତ୍ରଜଗୁଆଳ, ଗ୍ରନ୍ଥାଗାରିକ, କମ୍ପ୍ୟୁଟର ଶିକ୍ଷକ ପଦବୀ ଖାଲିପଡ଼ିଥିଲେ ମଧ୍ୟ ତାହାକୁ ପୂରଣ କରାଯାଉନଥିବା ଯୋଗୁଁ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଉପଯୁକ୍ତ ଜ୍ଞାନ ଆହରଣ କରିବାରୁ ବଞ୍ôଚତ ହୋଇଆସୁଛନ୍ତି । ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଆସିକା ଅଞ୍ଚଳର ଏକ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ସରକାରୀ ଉଦାସୀନତା ଅଭାବରୁ ଏହି ମହାବିଦ୍ୟାଳୟ ଦୀର୍ଘ ବର୍ଷ ହେଲା ନାନା ସମସ୍ୟାରେ ଉବୁଟୁବୁ ହେଉଛି । ୧୯୮୪ ମସିହାରେ ସ୍ଥାପିତ ହୋଇଥିବା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଯୁକ୍ତ୨ ଓ ଯୁକ୍ତ୩ ପାଠ୍ୟକ୍ରମ ଅନୁଯାୟୀ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ଶ୍ରେଣୀ ଖୋଲାଯାଇଥିଲା ବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ୩୮୪ ସିଟ୍‍ ଥିବା ଜଣାପଡିଛି। ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପାଇଁ କମନ୍ ରୁମ୍‌, ସାଇକେଲ୍ ଷ୍ଟାଣ୍ଡ, ଖେଳପଡିଆ, କମ୍ପ୍ୟୁଟର ଶିକ୍ଷକ ଇତ୍ୟାଦି ବ୍ୟବସ୍ଥା ନଥିବା ଯୋଗୁଁ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏପରିକି ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟ ସ୍ଥାପନର ଦୀର୍ଘ ୪୨ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏହି ପୁରାତନ ଶିକ୍ଷାନୁଷ୍ଠାନରେ କ୍ରୀଡାଶିକ୍ଷକ ନିଯୁକ୍ତି ହୋଇପାରିନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ କ୍ରୀଡା କ୍ଷେତ୍ରରେ ପ୍ରଶିକ୍ଷଣ ପାଇବାରୁ ବଞ୍ôଚତ ହୋଇ ଆସୁଛନ୍ତି । ଅଧ୍ୟାପନା ଦାୟିତ୍ୱରେ ଥିବା ଅଧ୍ୟାପକମାନଙ୍କ ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ଯୋଗୁଁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ବିଦ୍ୟାର୍ଥୀମାନେ ଆସି ଏଠାରେ ଅଧ୍ୟୟନ କରୁଛନ୍ତି । ସେହିଭଳି ୧୮୮୫ ମସିହାରେ ସ୍ଥାପିତ ହୋଇଥିବା ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟକୁ ୧୦୦ବର୍ଷ ପୁରି ଯାଇଥିଲେ ମଧ୍ୟ ଏହି ବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରାଯାଉନଥିବା ଅଭିଯୋଗ ହେଉଛି । ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟରେ ୮ଟି ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ଦୀର୍ଘ ଦିନ ହେଲା ପ୍ରଧାନ ପଣ୍ଡିତ, ଇଂରାଜୀ, ସହକାରୀ ପଣ୍ଡିତ, କଳା ଶିକ୍ଷକ, ବିଜ୍ଞାନ ଶିକ୍ଷକ, ଏମ୍‍ସିଟି ଶିକ୍ଷକ ପଦବୀ ଖାଲି ପଡିଥିଲେ ମଧ୍ୟ ସେଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି । ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ସଂସ୍କୃତ ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହେଉଛି। ଅତୀତରେ ଶିକ୍ଷାଦାନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନର ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଗତ କିଛିବର୍ଷ ହେଲା ଏହି ଶିକ୍ଷାନୁଷ୍ଠାନ ନାନା ସମସ୍ୟାରେ ଗତି କରୁଛି । ଆସିକା ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାର ସମାଧାନ ଲାଗି କର୍ତ୍ତୃପକ୍ଷ ବହୁବାର ଜିଲ୍ଲା ଓ ରାଜ୍ୟ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନଦେଇ ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଖାଲି ପଡ଼ିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ କରିବା, ମହାବିଦ୍ୟାଳୟ ଓ ଶ୍ରେଣୀ ଗୃହ ପରିସରରେ ଆଲୋକର ସୁବନ୍ଦୋବସ୍ତ କରିବା, ମହାବିଦ୍ୟାଳୟ ପରିସରରେ ଅଡ଼ିଟୋରିୟମ୍‌, କ୍ରୀଡାଶିକ୍ଷକ ନିଯୁକ୍ତି, ଖେଳପଡ଼ିଆ ଓ ସାଇକେଲ୍ ଷ୍ଟାଣ୍ଡ ନିର୍ମାଣ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦୃଢ଼ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ