ପୁୁଡୁଗେଶ୍ୱରଙ୍କ ପୀଠରେ ଦେବଦମ୍ପତିଙ୍କ ବିବାହ ସଂପନ୍ନ
ଆସିକା (ୱାଇଏନ୍ଏସ୍) :ପବିତ୍ର ଶିବବିବାହ ଉତ୍ସବ ଅବସରରେ ଗୁରବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକ ଉତ୍ସବମୁଖର ହୋଇପଡିଥିବା ବେଳେ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବିବାହ କାର୍ଯ୍ୟକ୍ରମରେ ଦେବଦେବ ମହାଦେବ ଶିବ ବରବେଶରେ ସଜ୍ଜିତ ହୋଇଥିବା ବେଳେ ମାତା ପାର୍ବତୀ କନ୍ୟା ବେଶରେ ସଜ୍ଜିତ ହୋଇଥିଲେ । ଶୈବପୀଠ ଗୁଡିକରେ ସଂପୁର୍ଣ୍ଣ ରୀତିନୀତି ଅନୁଯାୟୀ ବୈଦିକ ରୀତିରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ଅଞ୍ଚଳର ପବିତ୍ର ଋଷିକୁଲ୍ୟା ନଦୀତଟରେ ପୁଡୁଗେଶ୍ୱରପଲ୍ଲୀ ଗ୍ରାମ ନିକଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଶ୍ରୀ ଶ୍ରୀ ପୁଡୁଗେଶ୍ୱର ଶୈବପୀଠରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଦୈନନ୍ଦିନ ରୀତିନୀତି ଅନୁଯାୟୀ ସମସ୍ତ ପୂଜା ସଂପନ୍ନ ହେବା ପରେ କନ୍ୟାପିତା ରୂପେ ଗୁଣ୍ଠପଡା ଗ୍ରାମର ଆଧ୍ୟାତ୍ମିକପ୍ରେମୀ ତଥା ସମାଜସେବୀ ବି.ରାକେଶ୍ ପାତ୍ର ଓ ତାଙ୍କ ପତ୍ନୀ ଟି.ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ବରପିତା ରୂପେ କାଳଷଣ୍ଢପୁର ସ୍ଥିତ ସୋରଡା ରୋଡ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଚନ୍ଦନ ସ୍ୱାଇଁ ଓ ତାଙ୍କ ପତ୍ନୀ ମଧୁସ୍ମିତା ରାଉତଙ୍କ ଉପସ୍ଥିତିରେ ସଂପୁର୍ଣ୍ଣ ବୈଦିକ ରୀତିରେ ବିଦ୍ୱାନ ପଣ୍ଡିତ ସୁନିଲ୍ ଦାଶଙ୍କ ବେଦମନ୍ତ୍ର ଉଚ୍ଚାରଣରେ ଗୁରବାର ସନ୍ଧ୍ୟାରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା । ସେହିଭଳି ଆସିକା ଅଞ୍ଚଳର ତ୍ରିବିଧେଶ୍ୱର, ରାମେଶ୍ୱର, ସୁବର୍ଣ୍ଣେଶ୍ୱର, ଚନ୍ଦ୍ରକଳ୍ପେଶ୍ୱର, ବାଲୁଙ୍କେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ଜଗତ୍ଜନନୀ ଦେବୀ ପାର୍ବତୀ ଓ ଦେବଦେବ ମହାଦେବଙ୍କ ପବିତ୍ର ବିବାହ କାର୍ଯ୍ୟକ୍ରମକୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳର ପୁଡୁଗେଶ୍ୱରପଲ୍ଲୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ପୁଡୁଗେଶ୍ୱର ଶୈବପୀଠରେ ଅନୁଷ୍ଠିତ ଦେବଦେବ ମହାଦେବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମକୁ ସଂପନ୍ନ କରିବା ଦିଗରେ ଗ୍ରାମ୍ୟ କମିଟି ସଭାପତି ସୂର୍ଯ୍ୟନାରାୟଣ ନାହାକ, ଆଧ୍ୟାତ୍ମିକପ୍ରେମୀ ନିଗମାନନ୍ଦ ମହାନ୍ତି, ଗଣେଶ ମହାନ୍ତି, ପଞ୍ଚାନନ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ଶିବଶଙ୍କର ମହାନ୍ତି, ସନ୍ୟାସୀ ନାହାକ, ଅନିଲ୍ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ମହାପାତ୍ର, ରମେଶ ରାଉତ, ରଜନୀ ମହନ୍ତି, ଅର୍ସୁଲୁ ସ୍ୱାଇଁ, ଶିବରାମ ମହାନ୍ତି, ପ୍ରଦୀପ କୁମାର ରାଉତ, କାମେଶ୍ୱର ରାଉତ, ଶିବରାମ ନାହାକ, ହୀନ ବାରିକ, ଦୁର୍ଗାମାଧବ ଜେନା, ମଙ୍ଗୁଳୁ ନାହାକ, ବିଜୟ ନାହାକ, ଅଜୟ ପାତ୍ର, ଅଂଶୁମାନ ଖଣ୍ଡୁଆଳ, ସୋନୁ ରାଉତ, ନାର୍ଶୁ ମହାନ୍ତି, ସନ୍ତୋଷ ବେହେରା, ବୃନ୍ଦାବନ ଖଣ୍ଡୁଆଳ, ଗୋପୀନାଥ ମହାନ୍ତି, ରାମଚନ୍ଦ୍ର ମହାନ୍ତି, ଭାସ୍କର କାମ୍ପଙ୍କ ସମେତ ସମସ୍ତ ପୁଡୁଗେଶ୍ୱରପଲ୍ଲୀ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ପୁରାଣଶାସ୍ତ୍ରରେ କିମ୍ବଦନ୍ତୀ ରହିଛି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମହାଯୋଗୀ ଶିବ ନିଜ ଦେବଗଣ ଓ ନନ୍ଦିଭୃଙ୍ଗିଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗୌରୀଙ୍କୁ ବିବାହ କରିଥିଲେ । ସେହି ପୌରାଣିକ କିମ୍ବଦନ୍ତୀକୁ ଆଧାର କରି କେଉଁ ଆବାହମାନ କାଳରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକରେ ଶିବବିବାହ ଓ ଶୀତଳଷଷ୍ଠୀ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇ ଆସୁଛି । ଗୁରବାର ସନ୍ଧ୍ୟାରେ ବାଦ୍ୟବାଜଣାର ତାଳେତାଳେ ପୁଡୁଗେଶ୍ୱରପଲ୍ଲୀ ଗ୍ରାମରେ ବିଜେ ପ୍ରଭୁ ଶ୍ରୀ ଶ୍ରୀ ପୁୁଡୁଗେଶ୍ୱର ସ୍ୱାମୀଙ୍କ ବିଧିବିଧାନ ଅନୁଯାୟୀ ନଗର ପରିକ୍ରମା ଶେଷ ପରେ ସନ୍ଧ୍ୟାରେ ବାଟବରଣ ଓ ହସ୍ତଗ୍ରନ୍ଥି ସଂପନ୍ନ ହୋଇଥିବା ଦେଖିବାକୁ ମିଳିଥିଲା । ଶିବପାର୍ବତୀଙ୍କ ବିବାହ ଅବସରରେ ଶୈବପୀଠ ଗୁଡିକ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଥିଲା ବେଳେ ବିବାହ ମଣ୍ଡପ ଗୁଡିକ ଫୁଲ, ଆମ୍ବଡାଳ ଓ ବେଲପତ୍ରରେ ସଜେଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ପରମ୍ପରା, ସଂସ୍କୃତି ଓ ଐତିହ୍ୟର ମହାମିଳନର ଅପୂର୍ବ ନିଦର୍ଶନ ସ୍ୱରୂପ ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଆସିକା ଅଞ୍ଚଳର ପୁୁଡୁଗେଶ୍ୱରପଲ୍ଲୀ ଗ୍ରାମରେ ବିଜେ ମହାପ୍ରଭୂ ବାବା ପୁଡୁଗେଶ୍ୱରଙ୍କ ପୀଠରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ସଂପୁର୍ଣ୍ଣ ବୈଦିକ ଓ ଦେବନୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାବା ପୁଡୁଗେଶ୍ୱର ଓ ଦେବୀ ପାର୍ବତୀଙ୍କୁ ସୁସଜ୍ଜିତ ରଥରେ ବିଜେ କରାଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା ବେଳେ କନ୍ୟାପିତାଙ୍କ ପକ୍ଷରୁ ବରଯାତ୍ରୀ ଦଳକୁ ଫୁଲଚନ୍ଦନ ଅର୍ପଣ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂହାରକର୍ତ୍ତା ଦେବ ଦେବ ମହାଦେବ ବରବେଶରେ ସଜ୍ଜିତ ହୋଇ ବିବାହ ଯାତ୍ରାରେ କନ୍ୟାଘର ଅଭିମୁଖେ ବାହାରି ଥିଲେ । କନ୍ୟାପକ୍ଷ ମଧ୍ୟ ମହାଦେବଙ୍କୁ ବରବେଶରେ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ବାବା ପୁଡୁଗେଶ୍ୱରଙ୍କ ପୀଠରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସଂପୁର୍ଣ୍ଣ ଭାବେ ଲୋକାଚାର ଓ ବୈଦିକ ରୀତିରେ ସଂପନ୍ନ ହୋଇଥିଲା ବେଳେ ଏହି ପବିତ୍ର କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।


