ଲାଞ୍ଚ ନେଉଥିବା ବେଳେ ଫରେଷ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ
କଟକ, (ଓ୍ବାଇଏନଏସ): ଜଙ୍ଗଲ ରାସ୍ତାରେ ଟ୍ରାକ୍ଟର ନେବାକୁ ଅନୁମତି ଦେବା ପାଇଁ ୨୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ପୁରୀଜିଲ୍ଲା ଡେଲାଙ୍ଗ ବନାଞ୍ଚଳର ଫରେଷ୍ଟର ରାକେଶ କୁମାର ପଣ୍ଡା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଫରେଷ୍ଟର ଶ୍ରୀ ପଣ୍ଡା ଜଙ୍ଗଲ ରାସ୍ତାରେ ଟ୍ରାକ୍ଟର ନେବା ପାଇଁ ଏହାର ମାଲିକଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲେ। ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜଣେ ଟ୍ରାକ୍ଟର ମାଲିକ ନିଜ ଜମିର ଖାଳ ଅଞ୍ଚଳରେ ମାଟି ପକାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ଜମିକୁ ମାଟି ଆଣିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡୁଥିଲା। ତେବେ ଜଙ୍ଗଲରାସ୍ତାରେ ଟ୍ରାକ୍ଟର ନେବା ପାଇଁ ବନ ବିଭାଗର ଅନୁମତି ଦରକାର ଥିବାରୁ ଫରେଷ୍ଟର ଏଥିରୁ ଫାଇଦା ଉଠାଇବାକୁ ଚାହୁଁଥିଲେ। ଏଥି ପାଇଁ ସେ ଟ୍ରାକ୍ଟର ମାଲିକଙ୍କ ଠାରୁ ୨୫,୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଇ ଜଙ୍ଗଲ ରାସ୍ତାରେ ଟ୍ରାକ୍ଟର ନେଲେ ଏହାକୁ ଜବତ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏନେଇ ଟ୍ରାକ୍ଟରମାଲିକ ଭିଜିଲାନ୍ସ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ ଏବଂ ଫରେଷ୍ଟରଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଜି ଟ୍ରାକ୍ଟର ମାଲିକଙ୍କ ଠାରୁ ଶ୍ରୀ ପଣ୍ଡା ୨୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗର ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଫରେଷ୍ଟରଙ୍କ ଠାରୁ ଲାଞ୍ଚରେ ବ୍ୟବହୃତ ୨୫୦୦୦ ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ବିଭାଗ ଏନେଇ ଏକ ମାମଲା ରୁଜୁ କରିଛି। ଶ୍ରୀ ପଣ୍ଡାଙ୍କର ୨ଟି ସ୍ଥାନରେ ଚଢ଼ଉ କରିଛି।


