ଅଗ୍ନିଶମ ବିଭାଗ ପକ୍ଷରୁୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକ୍‌ଡ୍ରିଲ୍‌

ଆସିକା(ୱାଇଏନ୍‍ଏସ୍‍) : ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା)ର ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶୁକ୍ରବାର ଆସିକା ବ୍ଳକ ଅନ୍ତର୍ଗତ ସିଦ୍ଧନଇ ଗ୍ରାମପଞ୍ଚାୟତର ମହାରାଜପୁର ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‌ଡ୍ରିଲ୍‌) ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ବିପର୍ଯ୍ୟୟ ମୁକାବିଲା ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମରେ ଆସିକା ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରା, ଆସିକା ଅଗ୍ନିଶମ କାର୍ଯ୍ୟାଳୟର କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଏହି ମକ୍‍ଡ୍ରିଲ୍‍ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରି ଟେବୁଲ୍‍ ଟ୍ୟାପ୍‍ ପ୍ରୟୋଗାତ୍ମକ ଅଭ୍ୟାସ ଓ ସତର୍କ ଆପ୍‍ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ କେବେ, କେତେବେଳେ, କେଉଁଠାରେ ହେବ ଏବଂ କେଉଁ ଦିଗରେ ଏହା ଗତି କରିବ ତାହାରି ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିଲେ । ମହାରାଜପୁର ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଗୋଷ୍ଠୀ ସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ଟାୱାର ଲାଇଟ୍‌, ଯନ୍ତ୍ରଚାଳିତ କରତ, ଜେନେରେଟର୍‌, ଷ୍ଟେଚର୍‌, ମେଗା ଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧରେ ଅଭ୍ୟାସ କରାଯାଇଥିଲା ବେଳେ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେଇ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ଆଗାମୀ ବର୍ଷା ଋତୁରେ ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ଏହି ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମରେ ଜଗଦଳପୁର ଗ୍ରାମବାସୀ, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଦମକଳ କେନ୍ଦ୍ରର ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ମକ୍‍ଡ୍ରିଲ କାର୍ଯ୍ୟକ୍ରମରେ ଅଗ୍ନିଶମ ସେବା କେନ୍ଦ୍ରର ମୁଖ୍ୟ ଆଗ୍ନିକ ଅଶୋକ କୁମାର ବାରିକ, ଡ୍ରାଇଭର ହାବିଲଦାର ସନ୍ତୋଷ ନାୟକ, ଅଗ୍ନିଯୋଦ୍ଧା ବୁଟୁ ରାଉତ, ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗର୍ଭବତୀ ମହିଳା ମାନଙ୍କୁ ଉଚ୍ଚ ସ୍ଥାନରୁ ନିଚ ସ୍ଥାନକୁ ଦୌଡି ସାହାଯ୍ୟରେ ଉଦ୍ଧାର, ସିଡି ସାହାଯ୍ୟରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର, ଛୋଟଛୋଟ ତୈଳ ଜାତୀୟ ନିଆଁକୁ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଲିଭାଇବାର କୌଶଳ, ଚାଳଘର ନିଆଁକୁ ଲିଭାଇବାର କୌଶଳ, ନଦୀ ଓ ପୋଖରୀରେ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବାର କୌଶଳ ଇତ୍ୟାଦି ମକ୍‌ଡ୍ରିଲ୍ ମାଧ୍ୟମରେ ଡେମୋ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବାତ୍ୟା କିମ୍ବା ବନ୍ୟା ଆସିଲେ ସେଥିରୁ କିପରି ପୀଡିତଙ୍କୁ ରକ୍ଷା କରିବା ସହ ଅନ୍ୟ ମାନଙ୍କୁ କିପରି ରକ୍ଷା କରାଯାଇ ପାରିବ ତାହା ଉପରେ ଲୋକଙ୍କୁ ସଚେତନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ