ଶିଶୁ ସାହିତ୍ୟରେ ଆଧ୍ୟାତ୍ମ ଚେତନା

ଶିଶୁ ସାହିତ୍ୟ ହେଉଛି ଏପରି ଏକ ସାହିତ୍ୟ, ଯାହା କୋମଳମତି ଶିଶୁମାନଙ୍କ ମନସ୍ତତ୍ତ୍ଵକୁ ନେଇ ସ୍ୱତନ୍ତ୍ର ଭାବେ ରଚନା କରାଯାଇଥାଏ।କାରଣ ଆମେ ଜାଣିଛେ ଆଜିର ଶିଶୁ କାଲିର ଭବିଷ୍ୟତ। ତେଣୁ ବାଲ୍ୟାବସ୍ଥାରୁ ହିଁ ଏମାନଙ୍କୁ ‘ଆଧ୍ୟାତ୍ମିକ ଚେତନା’ ବା ଆଧ୍ୟାତ୍ମ ଭାବନାର ସାହିତ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଯାହା ଦ୍ୱାରା ଶିଶୁର ଚରିତ୍ର ଗଠନ, ମାନବିକ ମୂଲ୍ୟବୋଧର ବିକାଶ ଏବଂ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହୋଇପାରିବ।

ଆଧ୍ୟାତ୍ମିକତା ଶବ୍ଦର ଅର୍ଥ ଅତୀବ ଗହନ ଓ ବ୍ୟାପକ । ତଥାପି ଏହାକୁ ସଂକ୍ଷେପରେ କହିବାକୁ ଗାଲେ ଯେ, ସ୍ରଷ୍ଟା, ସୃଷ୍ଟି ଓ ମୁଁ ଉଭୟଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଥାଏ ତାହାକୁ ହିଁ ସାଧାରଣତଃ ଆଧ୍ୟାତ୍ମିକତା କୁହାଯାଏ। ଆଧ୍ୟାତ୍ମିକ ହେଉଛି ଏକ ମହାଦ୍ରୁମ ସଦୃଶ୍ୟ ଏଵଂ ତା’ର ପ୍ରତ୍ୟେକ ଫଳର ବୀଜ ଗୋଟିଏ ଗୋଟିଏ ସତ୍ ଶାସ୍ତ୍ର। ଯେତେବେଳେ ଏହି ବୀଜ ଗୁଡ଼ିକୁ ମନୁଷ୍ୟ ଗ୍ରହଣକରେ, ସେତେବେଳେ ତା’ର ନୀରସ ଜୀବନଟି ସରସ ହୋଇଯାଏ। ଏହି ଆଧ୍ୟାତ୍ମିକ ଜ୍ଞାନ ହିଁ ସନାତନ ଧର୍ମର ମୂଳପିଣ୍ଡ । ଆମ ସମସ୍ତେ ଜାଣିଛେ ସନାତନ ଧର୍ମର ସଂସ୍କୃତି ଅତୀବ ମହୀୟାନ। ତା’ର ଆଧ୍ୟାତ୍ମିକ ସାହିତ୍ୟ ତିନି କାଳରେ ଉପଯୋଗୀ ମଧ୍ୟ। ଏହି ସାହିତ୍ୟ ସମାଜ ସଂସ୍କାର କ୍ଷେତ୍ରରେ ମହୌଷଧି ସଦୃଶ୍ୟ ଅଟେ। ସମଗ୍ର ସଂସାରରେ ଆଦ୍ୟ ସାହିତ୍ୟ ହେଉଛି ସନାତନ ସାହିତ୍ୟ, ଯାହାର ନାମ ଶ୍ରୁତି ବା ବେଦ। ଏହି ବୈଦିକ ସାହିତ୍ୟ ବଳରେ ଦିନେ ଭାରତ ବିଶ୍ଵଗୁରୁ ହୋଇପାରିଥିଲା। ପରବର୍ତ୍ତୀ ସମୟରେ ବହୁ ମନିସୀମାନେ ଯୁଗୋପଯୋଗୀ ସାହିତ୍ୟ ରଚନା କରି ମାନବ ସମାଜର ସଂସ୍କାର ଆଣିଛନ୍ତି। ଏହି ସଂସ୍କାର ଦ୍ଵାରା ମନୁଷ୍ୟ ଚରିତ୍ରରେ ସଦଗୁଣର ସଞ୍ଚାର ହେବା ସଙ୍ଗେ ସଙ୍ଗେ ଦୋଷ ଦୁର୍ଗୁଣାଦି ଦୂରୀଭୂତ ହୋଇଥାଏ । ସଂସ୍କାରର ମୂଳ ପ୍ରୟୋଜନ ହେଉଛି, ଆଧ୍ୟାତ୍ମିକ ତଥା ନୈତିକତାର ବିକାଶ । ମାନବ ଜୀବନରେ ପବିତ୍ରତା ଏବଂ ଉତ୍କୃଷ୍ଟ ଆଣିବା ପାଇଁ ଯେଉଁ ଆଧ୍ୟାତ୍ମିକ ଉପଚାର କରାଯାଏ ତାହାକୁ ସଂସ୍କାର କୁହାଯାଏ । ଶ୍ରେଷ୍ଠ ସଂସ୍କାରିତବାନ୍ ମାନବ ନିର୍ମାଣ ହିଁ ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ । ସଂସ୍କାର ଦ୍ଵାରା ହିଁ ମନୁଷ୍ୟ ଶିଷ୍ଟ ଆଚରଣ ଏବଂ ସଭ୍ୟାଦି ପ୍ରବୃତ୍ତିର ବିକାଶ କରିଥାଏ । ମାନବ ଜୀବନରେ ସଂସ୍କାରକୁ ଅତ୍ୟଧିକ ମହତ୍ତ୍ଵ ଦିଆଯାଇଛି । ସଂସ୍କାର ଦ୍ଵାରା ହିଁ ମନୁଷ୍ୟ ତାର ଚରିତ୍ର ନିର୍ମାଣ କରିଥାଏ । ଚରିତ୍ର ଏପରି ଏକ ସମ୍ପଦ ଯଦ୍ୱାରା ମନୁଷ୍ୟ ତା’ ଜୀବନରେ ସୁଖ, ଶାନ୍ତି ଓ ମାନ – ସମ୍ମାନାଦି ପ୍ରାପ୍ତ କରିଥାଏ । ଏହାକୁ ଦୃଷ୍ଟିରେ ରଖି କୋମଳମତି ଶିଶୁମାନଙ୍କୁ ବାଲ୍ୟକାଳରୁ ହିଁ ଗଳ୍ପ , ନୃତ୍ୟ, ଗୀତ , କାହାଣୀ ଓ ନୀତିବାଣୀ ଇତ୍ୟାଦି ସତ୍ ସାହିତ୍ୟ ମାଧ୍ଯମରେ ଶିକ୍ଷା ପ୍ରଦାନକରିବା ଆବଶ୍ୟକ।

ଆମେ ଜାଣିଛେ ଏ ସୃଷ୍ଟିର ସ୍ରଷ୍ଟାଙ୍କ ସର୍ଵଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ। ଏଣୁ ବିବେକଚୂଡ଼ାମଣି ଗ୍ରନ୍ଥରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି: ” ଜନ୍ତୁନାମ୍ ନରଜନ୍ମ ଦୁର୍ଲ୍ଲଭମ୍ “। ସେ’ପରି ଓଡିଆ ଭାଗବତରେ ବର୍ଣ୍ଣିତ ହୋଇଛି “ମନୁଷ୍ୟ ଦେହେ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ “। ଏହି ଦିବ୍ୟଜ୍ଞାନ ସଦଗୁରୁ ଏବଂ ସତ୍ ସାହିତ୍ୟରୁ ପ୍ରାପ୍ତ ହୋଇଥାଏ। ସାହିତ୍ୟ କହିଲେ ଆମେ ସମସ୍ତେ ଜାଣୁ ହିତ ସାଧନର ନାମ। ଏଠି ପ୍ରଶ୍ନ ଆସେ କାହାର ହିତ ? ତେବେ ଉତ୍ତର ଆସିଥାଏ, ଅନ୍ୟର ସହିତ ନିଜର ହିତ କରିବା। ଏହି ସାହିତ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଛି ଯଥା – ଗଦ୍ୟାତ୍ମକ ଓ ପଦ୍ୟାତ୍ମକ। ଉଭୟ ସାହିତ୍ୟ ଦ୍ଵାରା ସମାଜକୁ ବାର୍ତ୍ତା ଦିଆଯାଇଥାଏ।
ସାଧାରଣ ଭାବରେ କହିବାକୁ ଗଲେ ଶିଖିବା ବା ଶିଖାଇବାର କୌଶଳପୂର୍ଣ୍ଣ ନାମ ହିଁ ଶିକ୍ଷା ଅଟେ । ଏଠାରେ ଶିକ୍ଷାର ଅନେକଦିଗ ମଧ୍ୟରୁ ଦୁଇଗୋଟି ଦିଗ ଉପରେ ଆଲୋକପାତ କଲେ ଆମେ ଜାଣିପାରିବା ଯେ, ଶିକ୍ଷା ଆମ୍ଭମାନଙ୍କ ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ବହନ କରେ । ସେହି ଦୁଇଗୋଟି ଦିଗ ମଧ୍ୟରୁ ପ୍ରଥମଟି ହେଲା ଔପଚାରିକ ଶିକ୍ଷା ଏବଂ ଅନ୍ୟଟି ହେଲା ଅନୌପଚାରିକ ଶିକ୍ଷା । ଯେଉଁ ଶିକ୍ଷା ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ପ୍ରଦାନ କରାଯାଏ ତାହାକୁ ଔପଚାରିକ ଶିକ୍ଷା କୁହାଯାଏ । ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ନିଜ ନିଜର କର୍ମପନ୍ଥା ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ । ଶିଶୁର ପ୍ରାଥମିକ ଅବସ୍ଥାରେ ଯେଉଁ ଶିକ୍ଷା ନିଜ ମାତାପିତା, ଗୁରୁଜନ ତଥା ପରିବେଶ ଆଦିରୁ ପ୍ରାପ୍ତ କରିଥାଏ, ସେହି ଶିକ୍ଷାକୁ ଅନୌପଚାରିକ ଶିକ୍ଷା କୁହାଯାଏ । ଏହି ଶିକ୍ଷାକୁ ଆଧ୍ୟାତ୍ମିକ ମାଧ୍ୟମରେ ଶିଶୁମାନଙ୍କୁ ଦେବା ନିତ୍ୟାନ୍ତ ଆବଶ୍ୟକ।ପ୍ରତ୍ୟେକ ସଂସ୍କୃତି ଓ ସମାଜର ଶିଶୁମାନେ ହେଉଛନ୍ତି ତା’ର ଭବିଷ୍ୟତ। ସେହି ଭବିଷ୍ୟତକୁ ଯଦି ବର୍ତ୍ତମାନ ଅବସ୍ଥାରେ ଉତ୍ତମ ଶିକ୍ଷା ଦିଆଯାଏ; ତେବେ ସେ’ମାନେ ଆଗାମୀ ଦିନରେ ଜଣେ ଜଣେ ଉତ୍ତମ ବ୍ୟକ୍ତି ହେବା ସଙ୍ଗେ ସଙ୍ଗେ ସଂସାରକୁ ଦିଗ୍ଦର୍ଶନ ଦେଇ ପାରିବେ। ତେଣୁ ଶିଶୁମାନଙ୍କୁ ଶୈଶବ କାଳରୁ ହିଁ ସଦ୍ ଜ୍ଞାନ ବା ଆଧ୍ୟାତ୍ମିକ ଚେତନା ଧର୍ମି ଶିକ୍ଷା ଦେବା ନିତ୍ୟାନ୍ତ ପ୍ରୟୋଜନ। ଏଥିପୂର୍ବରୁ ପ୍ରଥମତଃ ଶିଶୁମାନଙ୍କ ପିତା, ମାତା ଓ ଅଭିଭାବକମାନେ ଜାଣିବା ଆବଶ୍ୟକ; ଶିକ୍ଷା ଓ ଆଧ୍ୟାତ୍ମିକତା କାହାକୁ କୁହାଯାଏ ? ଯେଉଁ ପର୍ଯ୍ୟନ୍ତ ଉଭୟର ଜ୍ଞାତ ହେବନାହିଁ ; ସେ ପର୍ଯ୍ୟନ୍ତ ତା’କୁ ବ୍ୟକ୍ତ କରିବା ଅସମ୍ଭବ।

ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ