ଚଳନ୍ତା ଟ୍ରେନ୍ ରେ ପ୍ରସବ କଲେ ମହିଳା
କଟକ, (ଓ୍ବାଇଏନଏସ): ଚଳନ୍ତା ଟ୍ରେନ ବଗିରେ ସନ୍ତାନ ଜନ୍ମ ଦେଲେ ମହିଳା । ରେଳବାଇ ସୁରକ୍ଷା ବଳ ( ଆରପିଏଫ୍) ର ତତ୍ପରତା ଯୋଗୁଁ ଜଣେ ଗର୍ଭବତୀ ମହିଳା ଓ ତାଙ୍କର ଯାଆଁଳା ନବଜାତ ଶିଶୁଙ୍କ ଜୀବନ ରକ୍ଷା ପାଇଛି । ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍ର ଜେନେରାଲ ବଗିରେ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବା କଟକ ଆରପିଏଫ୍ ମହିଳା ଟିମ୍ ସୂଚନା ପାଇଥିଲେ । ସକାଳ ୬ଟା ୫୩ରେ ଟ୍ରେନ୍ ଷ୍ଟେସନରେ ପହଞ୍ଚିବା କ୍ଷଣି ତୁରନ୍ତ ସେଠାରେ ପହଞ୍ଚିଥିଲେ ଆରପିଏଫ୍ ଟିମ୍ । ଆରପିଏଫ୍ ମହିଳା ଟିମ୍ ପହଞ୍ଚିବା ସମୟରେ ମହିଳା ଜଣକ ଟ୍ରେନ୍ ଭିତରେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇସାରିଥିଲେ । ଗର୍ଭରେ ଯାଆଁଳା ଶିଶୁ ଥିବାରୁ ଦ୍ୱିତୀୟ ସନ୍ତାନ ପାଇଁ ତୀବ୍ର ବେଦନା ଅନୁଭବ କରୁଥିଲେ । ମହିଳାଙ୍କ ସୁରକ୍ଷା ଓ ଗୋପନୀୟତା ପାଇଁ ଆରପିଏଫ୍ ତୁରନ୍ତ ପ୍ଲାଟଫର୍ମର ସେହି ଅଂଶକୁ କପଡ଼ା ଦ୍ୱାରା ଘେରି ଦେଇଥିଲେ । ଷ୍ଟେସନରେ ମାଇକ୍ ଯୋଗେ ଘୋଷଣା କରାଯିବା ପରେ ଜଣେ ସହ-ଯାତ୍ରୀ ଫାର୍ମାସିଷ୍ଟ ଆଗକୁ ଆସି ମା’ ଓ ଶିଶୁର ପ୍ରାଥମିକ ଚିକିତ୍ସା କରିଥିଲେ । ଏହାପରେ ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା । ମେଡିକାଲ ଯିବା ରାସ୍ତାରେ ଆମ୍ବୁଲାନ୍ସ ଭିତରେ ହିଁ ସାଙ୍ଗରେ ଯାଇଥିବା ଆରପିଏଫ୍ ମହିଳା କର୍ମଚାରୀଙ୍କ ସହାୟତାରେ ମହିଳା ଜଣକ ଦ୍ୱିତୀୟ ସନ୍ତାନକୁ ସଫଳତାର ସହ ପ୍ରସବ କରିଥିଲେ । ବର୍ତ୍ତମାନ ମା’ ଓ ଦୁଇ ଯାଆଁଳା ଶିଶୁ ଏସସିବି ମେଡିକାଲରେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି । ଏହି ଜରୁରୀକାଳୀନ ମାନବିକ ସହାୟତା ପାଇଁ ଟ୍ରେନ୍ଟି କଟକ ଷ୍ଟେସନରେ ସକାଳ ୭ଟା ରୁ ୭ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୧୫ ମିନିଟ୍ ଅଟକି ରହିଥିଲା । ଆରପିଏଫ୍ର ଏଭଳି ପ୍ରଶଂସନୀୟ ଓ ସମ୍ବେଦନଶୀଳ କାର୍ଯ୍ୟକୁ ରେଳଯାତ୍ରୀ ଏବଂ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଛନ୍ତି । କଟକ ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ (RPF) ପକ୍ଷରୁ ମାନବିକତା ଓ ତତ୍ପରତାର ଏକ ଉଦାହରଣ ସୃଷ୍ଟି ହୋଇଛି । ରାଉରକେଲା–ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ (୧୮୧୧୭)ରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ଆରମ୍ଭ ହେବା ପରେ ଆରପିଏଫ୍ କର୍ମଚାରୀମାନେ ତୁରନ୍ତ ସହାୟତା ପ୍ରଦାନ କରି ମା’ ଓ ଦୁଇ ନବଜାତ ଶିଶୁଙ୍କ ଜୀବନ ରକ୍ଷା କରିବାକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।


