ତପନ ପଣ୍ଡାଙ୍କୁ ଓଡିଶା ଅଣ୍ଡର-୨୩ ଦଳରେ ଚୟନ
ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ଯୁବ କ୍ରିକେଟ ଖେଳାଳୀ ତପନ କୁମାର ପଣ୍ଡାଙ୍କୁ ଓଡିଶା ଅଣ୍ଡର-୨୩ ଦଳରେ ଚୟନ କରାଯାଇଥିବା ଜଣାପଡିଛି। ମୁନିଗୁଡା ପାଇକସାହିରେ ରହୁଥିବା ବ୍ୟବସାୟୀ ରବିନ୍ଦ୍ର କୁମାର ପଣ୍ଡାଙ୍କ ପୁତ୍ର ତପନ ଛୋଟ ବେଳରୁ ହିଁ କ୍ରିକେଟ ଖେଳ ପ୍ରତି ତାଙ୍କର ଆଗ୍ରହ ଥିଲା। ଏହାଦେଖି ତପନକୁ ପରିବାର ଲୋକେ ପାଠ ପଢିବାକୁ ନେଇ ଯେତିକି ଗୁରୁତ୍ୱ ଦେଉଥିଲେ ଖେଳ ପ୍ରତି ମଧ୍ୟ ସହଯୋଗ କରୁଥିଲେ। କଲେଜରେ ପାଠ ପଢିବା ସହ ସେ ଭୁବନେଶ୍ୱରସ୍ଥିତ ପାରାମାଉଣ୍ଟ ସ୍ପୋର୍ଟ୍ସ କ୍ଳବରେ ନେଟ୍ସରେ କ୍ରିକେଟ ଖେଳ ଅଭ୍ୟାସ କରୁଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ପୁଣି କିଛି ଦିନ ପରେ ସେ ମୁନିଗୁଡା କ୍ରିକେଟ ଟିମ ସହ ଅଭ୍ୟାସ କରିବା ସହ ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ବିଭିନ୍ନ ଟିମ ସହ ମେଚ ଭଲ ଖେଳିଥିଲେ। ଯାହାକୁ ନେଇ ତାଙ୍କୁ ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରକୁ ମଧ୍ୟ ଖେଳିବାର ସୁଯୋଗ ମିଳିଥିଲା। ସେଥିରେ ମଧ୍ୟ ସେ ଭଲ ଖେଳ ପ୍ରଦର୍ଶନ କରୁଥିଲେ। ଶେଷରେ ତାଙ୍କର ସ୍ବପ୍ନ ସାକାର ହେବା ସହ ତାଙ୍କୁ ଏବେ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଓଡିଶା ଅଣ୍ଡର-୨୩ ଦଳରେ ଚୟନ କରାଯାଇ କଟକସ୍ଥିତ ବାରବାଟୀ ଷ୍ଟାଡିଅମକୁ ଆସି ରିପୋର୍ଟ କରିବାକୁ ଡାକରା ଆସିଛି। ଶନିବାର ଦିନ ଓଡିଶା କ୍ରିକେଟ ଆସୋସିଏସନର ସିଇଓଙ୍କ ତରଫରୁ ତାଙ୍କୁ ଏହି ବାର୍ତା ଆସିଥିବା ବେଳେ ୩୦ ଜୁନ ତଥା ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଓଡିଶା ଅଣ୍ଡର-୨୩ ଦଳରେ ସାମିଲ ପାଇଁ ୨୯ ଜୁନ ସୋମବାର ଦିନ କଟକ ବାରବାଟୀ ଷ୍ଟାଡିୟମରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ତପନଙ୍କ ପରିବାର ସୂତ୍ରରୁ ଜଣାପଡିଛି। ତେବେ ଏହି ଖବର ପାଇବା ପରେ ମୁନିଗୁଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ତାର ଯେଉଁ ନିଷ୍ଠା ଓ ଖେଳ ପ୍ରତି ଆଗ୍ରହ ସଫଳ ହୋଇଛି ବୋଲି ସାଙ୍ଗ ସାଥି ଓ ପରିବାର ଲୋକ ପ୍ରକାଶ କରିଛନ୍ତି। ବର୍ତମାନ ତପନକୁ ବିଭିନ୍ନ ମୋହଲୋରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ମୁନିଗୁଡା କ୍ରିକେଟ ଆସୋସିସନର ସଭାପତି ନନ୍ଦ କିଶୋର ପଟ୍ଟନାୟକ, ସମ୍ପାଦକ ବାଳକୃଷ୍ଣ ରଥ, ଚେୟାରମ୍ୟାନ ଘନଶ୍ୟାମ ମାର୍ଥା, ଭାଇସ ଚେୟାରମ୍ୟାନ କୁମାର ରାଜୁ, ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ, ସହ ସମ୍ପାଦକ ମନୋରଞ୍ଜନ ଦଳାଇ, ରୋଟାରୀ କ୍ଳବ ସଭାପତି ନରେଶ ପାତ୍ର, ସୁଦାମ ପଣ୍ଡା ପ୍ରମୁଖଙ୍କ ସମେତ ଅନେକ ଖେଳ ପ୍ରେମୀ ଓ ସାଙ୍ଗସାଥି ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ କାମନା କରିଥିଲେ।


