ବଜ୍ରଘାତରେ ବଡ଼ଭାଇ ମୃତ, ସାନଭାଇ ଗୁରୁତର
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗ୍ରାମରେ ବଜ୍ରଘାତରେ ବଡ଼ଭାଇର ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଜେରଦରଇତ (୩୦) । ଘଟଣାରୁ ଜଣାପଡ଼ିଛି ଯେ, ଜେରଦ ଏବଂ ତାଙ୍କ ସାନଭା ମାଜେଶ ରାସନ ଚାଉଳ ଆଣିବା ପାଇଁ ଗତକାଲି ଅପରାହ୍ନରେ ନିଜ ଗ୍ରାମ କଟାମାରୁ ପ୍ରାୟ ୬ କିମି ଦୁରତାରେ ଥିବା ପଞ୍ଚାୟତ ସଦର ମହକୁମା ଅନୁଗୁରୁ ଯାଉଥିବା ସମୟରେ ହଠାତ କାଳବୈଶାଖୀଜନିତ ବର୍ଷା, ପବନ ଓ ବଜ୍ରାଘାତ ଘଟିଥିଲା। ଏହି ବଜ୍ରାଘାତ ଯୋଗୁଁ ଦୁଇ ଭାଇ ଗୁରୁତର ହୋଇ ଯାଇଥିଲେ । ଦୁଇ ଜଣଙ୍କୁ ଲୋକେ ତୁରନ୍ତ ଉଦ୍ଧାର କରି ଆର୍ ଉଦୟଗିରି ମେଡିକାଲରେ ଭର୍ତି କରିଥିଲେ. ହେଲେ ଡାକ୍ତର ବଡ଼ ଭାଇ ଜେରଦଙ୍କୁ ମୃତ ଘୋଷଣା କରିଥିଲେ | ସାନ ଭାଇ ମୋଜେଶ୍ ଗୁରୁତର ହୋଇପଡିଥିବା ଯୋଗୁଁ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି । ଆର. ଉଦୟଗିରି ଥାନା ପୋଲିସ ମୃତ ବଡ ଭାଇର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବାର ଜଣାପଡିଛି।


