ଦୁଇଦିନିଆ ତାଲିମ ଶିବିର ଉଦଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଓଡିଶା ସରକାରଙ୍କ ଆଇନ ବିଭାଗ ତଥା ଗୃହ ବିଭାଗ ଅଧିନ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟ ସହଯୋଗରେ ଆଜି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ଦୌରାଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲାର ନନ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟରଙ୍କ ପାଇଁ ଏକ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭାରତୀୟ ନ୍ୟାୟ ସଂହିତାରେ ଆସିଥିବା ବିଭିନ୍ନ ନୂତନ ଆଇନ, ସଂଶୋଧନ ଓ ଏହାର ପ୍ରଭାବ ତଥା ପୁରୁଣା ଓ ନୂଆ ଅପରାଧିକ ଆଇନ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ, ଫରେନସିକ ପ୍ରମାଣକୁ ନେଇ କିପରି ଅଦାଲତ ସମ୍ମୁଖରେ ପ୍ରସ୍ତୁତ କରାଯିବ ସେ ନେଇ ଆଜିର କର୍ମଶାଳାରେ ଆଲୋଚନା କରାଯାଇଥିଲା। ଏହି କ୍ରମରେ ଆଜି ସର୍ବପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଗୌରହରି କରସୁଧା ପଟ୍ଟନାୟକଙ୍କ ସଂଯୋଜନାରେ ସ୍ଥାନୀୟ ଅରବିନ୍ଦ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାୟନ କରାଯାଇଥିଲା। ପରେ ମାନ୍ୟବର ଜିଲ୍ଲା ଜଜ ଶ୍ରୀ ମହାନ୍ତି ଗରିବ ଲୋକ କିପରି ତ୍ୱରିତ ନ୍ୟାୟ ପାଇପାରିବ ସେ ନେଇ ସମସ୍ତ ପ୍ରସିକ୍ୟୁଟରଙ୍କୁ ସେଥି ନିମନ୍ତେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ପରେ ଅନ୍ୟତମ ଅତିଥି ତଥା ଏସ.ପି. ପ୍ରହଲ୍ଲାଦ ସହାଇ ମୀନା ସମସ୍ତ ପ୍ରସିକ୍ୟୁଟରଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା କରିବା ସହ ପୂର୍ବାପେକ୍ଷା ଆହୁରି ପ୍ରତିବଦ୍ଧ ହୋଇ କାମ କରି ଲୋକଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନି ମାଝି, ଜିଲ୍ଲା ଅଭିଯୋଜନ ଉପନିର୍ଦେଶକ ଅଜିତ ପଟ୍ଟନାୟକ, ପୂର୍ବତନ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେନ୍ଦ୍ର ପ୍ରସାଦ ସାହୁ, ଅଭିଯୋଜନ ବିଭାଗର ସହାୟକ ନିର୍ଦେଶକ ଡ଼ି. ଅନୁପରାଜ ଆଚାରି, ପାରଳାଖେମୁଣ୍ଡି ଏସ୍ଡିପିଓ ମାଧବାନନ୍ଦ ନାୟକ ପ୍ରମୁଖ ଯୋଗଦେଇଥିଲେ ଓ ନିଜ ନିଜର ଅଭିଜ୍ଞତା ବିଷୟରେ ଉପସ୍ଥିତ ପ୍ରସିକ୍ୟୁଟରମାନଙ୍କୁ ଜଣାଇଥିଲେ। ଏହି କ୍ରମରେ ଅଭିଯୋଜନ ବିଭାଗର ଅନୁରୋଧ କ୍ରମେ ବରିଷ୍ଠ ଅଧିବକ୍ତା ହୀରା ଚାନ୍ଦ ତଥା ପାରଳାଖେମୁଣ୍ଡି ଡାକ୍ତରଖାନାର ଡ଼ଃ ଶାନ୍ତନୁ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମରେ ବୈଷୟିକ ଜ୍ଞାନ ଭିତ୍ତିକ ନୂତନ ଆଇନ ଓ ମେଡ଼ିକାଲ ପ୍ରମାଣ ଉପରେ ନିଜର ଅଭିଜ୍ଞତା ସମସ୍ତଙ୍କୁ ଅବଗତ କରାଇଥିଲେ। ସର୍ବଶେଷରେ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ନନ କ୍ୟାଡର ପ୍ରସିକ୍ୟୁଟରମାନେ ଯୋଗଦେଇଥିଲେ।


