ବାଲେଶ୍ୱରର ବିଭିନ୍ନ ସମସ୍ୟା ସିଭିଲ୍ ସୋସାଇଟି ବୈଠକରେ ଉଦ୍‌ବେଗ

ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି, ସରକାରୀ ଜମିରୁ ବେଆଇନ ନିର୍ମାଣ ଉଚ୍ଛେଦ ଓ ସରକାରୀ ବିଦ୍ୟାଳୟରେ ୧ମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ଅକ୍ଷମଣୀୟ ତ୍ରୁଟିଗୁଡ଼ିକ ସଂପର୍କରେ ଆସନ୍ତା ପହିଲା ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନପାଇଁ ସିଭିଲ୍ ସୋସାଇଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଲେଶ୍ୱର ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ମନୋଜ ନାୟକ ଆଲୋଚନାର ବିବରଣୀ ଉପସ୍ଥାପିତ କରିଥିଲେ। ଗତ ଦୁଇଦିନ ପୂର୍ବରୁ ବାଲେଶ୍ୱର ସହରର ଅର୍ଡ଼ର ବଜାରରେ ପ୍ରକାଶ୍ୟ ଦିବାଲୋକରେ ଦୁଇଜଣ ଦୁର୍ବୁତ୍ତ ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ବାଲେଶ୍ୱରରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରରେ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି। ଓ.ଟି.ରୋଡ଼୍‌ର ତାମୁଳିଆ ଠାରୁ ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ସରକାରୀ ଜମିରେ ପଶ୍ଚିମ ପଟରେ ଥିବା ଜବର ଦଖଲ ନିର୍ମାଣଗୁଡ଼ିକୁ ଭାଙ୍ଗିଥିବାବେଳେ ପୂର୍ବପଟରେ ଥିବା ବେଆଇନ୍ ନିର୍ମାଣଗୁଡ଼ିକୁ ଭଙ୍ଗାଯାଇ ନାହିଁ। ସେହିପରି ରାସ୍ତା ଉପରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନ୍‌ସଫର୍ମରଗୁଡ଼ିକୁ ସ୍ଥାନାନ୍ତର କରାଯାଇନାହିଁ। ଡ୍ରେନ୍ ଓ ରାସ୍ତା ସଂପ୍ରସାରଣ କାର୍ଯ୍ୟ ନିମ୍ନମାନର ଓ ମନ୍ଥର ଗତିରେ ଚାଲୁଛି। ସରକାରୀ ବିଦ୍ୟାଳୟରେ ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ସହସ୍ରାଧିକ ତ୍ରୁଟି କାରଣରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଚଳିତ ଶିକ୍ଷାବର୍ଷରେ ଏକ ଅନିଶ୍ଚିତତାକୁ ଚାଲିଯାଇଛି ବୋଲି ସଂପାଦକ ଶ୍ରୀ ନାୟକ ବୈଠକରେ ଉପସ୍ଥାପନ କରିଥିଲେ। ଏହି ସମସ୍ୟାଗୁଡ଼ିକ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ରଘୁନାଥ ଲେଙ୍କା, ବିପ୍ଳବ କୁମାର ମହାନ୍ତି, ସନ୍ତୋଷ କୁମାର ସାହୁ, ଅଜିତ୍ କୁମାର ବରାଲ, ଅରୁଣ ଜେନା, ନିରଞ୍ଜନ ପରିଡ଼ା, ବନ୍ଦନା ପାତ୍ର, ଭରତ ଚନ୍ଦ୍ର ସେଠୀ, ମଳୟ ରାୟ, କମଳାକାନ୍ତ ବେହେରା, ତୁଷାରକାନ୍ତି ମହାପାତ୍ର ଓ ମହମ୍ମଦ ଇକ୍‌ବାଲ୍ ଖାଁ ପ୍ରମୁଖ ସଂପାଦକଙ୍କ ବିବରଣୀ ଉପରେ ଗଭୀର ଉଦ୍‌ବେଗ ପ୍ରକାଶ କରି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ପ୍ରସ୍ତାବକ୍ରମେ ଆସନ୍ତା ଜୁଲାଇ ପହିଲାଦିନ ଜିଲ୍ଲାପାଳଙ୍କ ଜରିଆରେ ଉପରୋକ୍ତ ସମସ୍ୟା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏକମାସ ମଧ୍ୟରେ ସମସ୍ୟାଗୁଡ଼ିକର ସମାଧାନ ନହେଲେ ସିିଭିଲ୍ ସୋସାଇଟି ସମସ୍ତ ଗଣସଂଗଠନର ସହଯୋଗରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶେଷରେ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ