ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ତ୍ରୁଟି: ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ
ବନ୍ତ,(ଚାନ୍ଦିନୀ ମହାନ୍ତି ) : ଦୀର୍ଘ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇବା ପାଇଁ ଅପେକ୍ଷା କରି ରହି ଥିବା ହିତାଧିକାରୀଙ୍କ ଆଶା ଓ ଆକାଂକ୍ଷା ଶେଷରେ ବିଫଳ ହେବାକୁ ଯାଉଛି l କେନ୍ଦ୍ର ଓ ରାଜ୍ୟରେ ନୂତନ ଡବଲ ଇଂଜିନ ସରକାର ଆସିବା ପରେ ସାଧାରଣ ଗରିବ ଲୋକଟିଏ ଆଶା କରିଥିଲା ତାର ଚାଳ ଛପର ଘର ବଦଳରେ ସେ ପକ୍କାଘର ଖଣ୍ଡିଏ ପାଇବ l ମାତ୍ର ଏବେ ତାର ଆଶା ଆଶାରେ ରହି ଯିବାକୁ ବସିଛି l ଦୀର୍ଘ ୨ ବର୍ଷ ପରେ ଏବେ ପ୍ରଧାନମନ୍ତ୍ରୀ ଆବାସ ତାଲିକା ପ୍ରକାଶ ପାଇଛି l ଯେଉଁ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମ ନଥିବା ଦେଖା ଯାଇଛି l ଫଳରେ ଯୋଗ୍ୟ ହିତାଧିକାରୀ ମାନେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି l ବନ୍ତ ବ୍ଲକର ୨୫ ପଞ୍ଚାୟତରେ ପ୍ରାୟ ୧୯ ହଜାରରୁ ଅଧିକ ଯୋଗ୍ୟ ହିତାଧିକାରୀ ଚାଳ ଛପର ଘରେ ବହୁ କଷ୍ଟରେ କାଳାତିପାତ କରୁଛନ୍ତି l ସେମାନଙ୍କର ସ୍ୱପ୍ନ ସ୍ୱପ୍ନରେ ରହି ଯିବାକୁ ବସିଛି l ଯେଉଁ ମାନଙ୍କ ନାମ ତାଲିକାରୁ ବାଦ ପଡିଛି, କିପରି ସେମାନଙ୍କ ନାମ ପୁନଃ ତାଲିକାରେ ଅନ୍ତର୍ଭୁକ୍ତ ହେବ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି l ଅପରପକ୍ଷେ ତଦନ୍ତ ମାଧ୍ୟମରେ ହିତାଧିକାରୀଙ୍କ ନାମ କାଣ୍ଟ ଛାଣ୍ଟ କରି ପଠାଇବା ପାଇଁ ସରକାରୀ ସ୍ତରରେ ଜିଲା ଓ ବ୍ଲକ ପ୍ରଶାସନକୁ ନିର୍ଦେଶ ଥିବା ଶୁଣା ଯାଉଥିବା ବେଳେ ଏନେଇ ଗ୍ରାମ ପଞ୍ଚାୟତ ଅଧିକାରୀ ମାନେ ମାନସିକ ଚାପରେ ରହିବା ସହ ଲୋକ ମାନଙ୍କ ରୋଷର ଶିକାର ହେବା ଆଶଙ୍କା ଦେଖା ଯାଇଛି l ଏପରିସ୍ଥଳେ ସରକାର ଓ ପ୍ରଶାସନ ବାସ୍ତବତାକୁ ଦୃଷ୍ଟି ଦେଇ ପ୍ରକୃତ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି l


