ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା : ବ୍ଲାକମେଲ୍ ଆଙ୍ଗଲ୍ ଉପରେ ତଦନ୍ତ ଜୋରଦାର କରିଛି ପୁଲିସ

କଟକ, (ଓ୍ବାଇଏନଏସ): କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଏବେ ବ୍ଲାକମେଲ୍ ଆଙ୍ଗଲ୍ ଉପରେ ତଦନ୍ତ ଜୋରଦାର କରିଛି ପୁଲିସ । କେହି ତାଙ୍କଠାରୁ କୌଣସି କାରଣରେ ଟଙ୍କା ଦାବି କରୁଥିଲେ କି ଏବଂ ତାଙ୍କୁ ବ୍ଲାକମେଲ୍ କରାଯାଉଥିଲା କି ନାହିଁ, ସେନେଇ ଖୋଳତାଡ଼ ଚାଲିଛି ।ପୁଲିସ ବିୟୁଟି ମହାନ୍ତିଙ୍କ ଆର୍ଥିକ କାରବାର, ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏବଂ ମୋବାଇଲ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରୁଛି । ଶେଷ ସମୟରେ କେଉଁମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ, ସେହି ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯିବ । ଏହି ଘଟଣା ନେଇ କଟକ ଡିସିପି କହିଛନ୍ତି , ବ୍ୟବଚ୍ଛେଦ ରିପୋର୍ଟରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ତଥାପି ଅଧିକ ତଦନ୍ତ ପାଇଁ ବିଶେଷଜ୍ଞଙ୍କ ମତାମତ ନିଆଯିବ ଏବଂ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ପରିବାର ସଦସ୍ୟ, ଥାନାର କର୍ମଚାରୀ ଓ ତାଙ୍କ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି । ପ୍ରାଥମିକ ତଦନ୍ତରେ ଶରୀରରେ ଅନ୍ୟ କୌଣସି ଆଘାତର ଚିହ୍ନ ମିଳିନାହିଁ । ଘଟଣାସ୍ଥଳରୁ ଜବତ ହୋଇଥିବା ମୋବାଇଲ ଫୋନ ଲକ୍ ଥିବାରୁ ଏହାକୁ ଖୋଲିବା ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ମୋବାଇଲରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ ଆଶା କରୁଛି । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଅଟକ ରଖାଯାଇନାହିଁ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ