ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲ୍ଲାର ୧୮୧ ଗାଁ
ଛତ୍ରପୁର (ଓ୍ବାଇଏନଏସ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ ଜିଲ୍ଲାର ୧୮୧ଟି ଗ୍ରାମକୁ ଚୟନ କରାଯାଇଛି । ୪୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଥିବା ଏସମସ୍ତ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ପରିଣତ କରିବାକୁ ଭିତିଭୂମିର ବିକାଶ ହେବ । ଏଥିପାଇଁ ପ୍ରତି ଗାଁ ପିଛା ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨୦ ଲକ୍ଷ ଲେଖାଁଏ ଅନୁଦାନ ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରହିଛି । ଗ୍ରାମ ଗୁଡିକରେ ପାନୀୟଜଳ, ଡ୍ରେନେଜ୍ ଓ ସୋକ୍ପିଟ୍, ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍, ସିସି/ଫେବର ରୋଡ୍, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକର ଶୌଚାଳୟ ଓ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ଏହି ଅନୁଦାନ ଖର୍ଚ୍ଚ ହେବ । ଏହି କ୍ରମରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଟି ଗାଁ, ୨୦୧୯-୨୦ରେ ୨୭ଟି ଗାଁ, ୨୦୨୦-୨୧ରେ ୩୫ଟି ୨୦୨୧-୨୨ରେ ୪୬ ଟି ଗାଁ, ୨୦୨୨-୨୩ରେ ୪୨ ଗାଁ ଏବଂ ୨୦୨୫-୨୬ରେ ୧୭ ଗାଁକୁ ଚୟନ କରାଯ୍ଧବ:ଲ । ଏହାମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦୨୮-୧୯ରେ ଚୟନ ହୋଇଥିବା ୧୪ ଟି ଗାଁର ଭିତିଭୂମି ବିକାଶ କରାଯାଇ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ’ ଭାବେ ଘୋଷଣା କରାଯାଇଛି । ସେଗୁଡିକ ହେଲା, ବେଗୁନିଆପଡା ବ୍ଲକ୍ କେ.ବରିଡା ପଂଚାୟତର ବାଉରୀନୂଆପଲ୍ଲୀ, ଛତ୍ରପୁର ବ୍ଲକ୍ ସୁନ୍ଦରପୁର ପଂଚାୟତର ପାଇତାରି, ଚିକିଟି ବ୍ଲକ କତୁରୁ ଓ ସୁନାପୁର, ଜଗନ୍ନାଥପ୍ରସାଦ ବ୍ଲକ୍ କାଦୁଅ ପଂଚାୟତର ସିଙ୍ଗିପୁର, ଖଲ୍ଲିକୋଟ ବ୍ଲକ କନକା ପଂଚାୟତର ସାମଳାନାସି, ଡିମିରିଆ ପଂଚାୟତର ବାବଲା, ଦାନପୁର ପଂଚାୟତର କରଝହଁର, କୁମଣ୍ଡ ପଂଚାୟତର ବଡରାମପଲ୍ଲୀ, କେଶପୁର ପଂଚାୟତର କୁମାରପୁର, କୁକୁଡାଖଣ୍ଡି ବ୍ଲକ୍ ମହୁଡା ପଂଚାୟତର କୁମାରପୁର, ସିହଳ ପଂଚାୟତର ଜୁଗୁଡି, ବାଲିପଡା ପଂଚାୟତର ଟିକରପଡା ଓ ଅନ୍ତେଇ ପଂଚାୟତର ଅନ୍ତେଇ । ସେହିପରି ଦ୍ୱିତୀୟ ପର୍ଯ୍ୟାୟର ୧୩୭ ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହାସହ ବାକି ୧୩ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଘୋଷଣା ପାଇଁ ଗଞ୍ଜାମ ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟର ୨୦୨୫-୨୬ ଆର୍ଥିକ ବର୍ଷର ଚୟନ ହୋଇଥିବା ୧୭ ଗାଁର ଭିତିଭୂମି ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନକୁ ଖର୍ଚ୍ଚ କରିବା ପାଇଁ ଖସଡା ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତିଭାସନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୫-୨୬ ଆର୍ଥି ବର୍ଷରେ ଚୟନ ହୋଇଥିବା ୧୭ ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଭିତିଭୂମି ବିକାଶ ଲାଗି ମଞ୍ଜୁର କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଖର୍ଚ୍ଚ ପାଇଁ ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶଙ୍କ ସମେତ ସମସ୍ତ ଲାଇନ୍ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଦ୍ୱିତୀୟ ପର୍ଯ୍ୟାୟର ୨୦୨୫-୨୬ ଆର୍ଥିବ ବର୍ଷରେ ଚୟନ ହୋଇଥିବା ୧୭ଟି ଗାଁ ଗୁଡିକ ହେଲା, ଭଞ୍ଜନଗର ବ୍ଲକ୍ ଦଦରାଲୁଣ୍ଡା ପଂଚାୟତର ଦୁର୍ଗାପ୍ରସାଦ ଓ ସୁଜାଗଡ ପଂଚାୟତର ବିରିପଦର, ବୁଗୁଡା ବ୍ଲକ୍ ତାକରଡା ପଂଚାୟତର ଡେଙ୍ଗାବାଡି, ଖୋଲାଖୋଲି ପଂଚାୟତର ବୁରୁଝୋଳ, ବିରିଛିପୁର କରାଡାବାଡି ପଂଚାୟତର ଟଭାପଲ୍ଲୀ, ଧରାକୋଟ ବ୍ଲକ୍ ସିଙ୍ଗିପୁର ପଂଚାୟତର କୋଇଠଡା, ଗଞ୍ଜାମ ବ୍ଲକ୍ ପୋଇରାଶି ପଂଚାୟତର ତାରେଣିପଲ୍ଲୀ, ପାଲଙ୍ଗ ପଂଚାୟତର ପାଲଙ୍ଗ, ହିଞ୍ଜିଳି ବ୍ଲକ୍ ଦୁର୍ବନ୍ଧ ପଂଚାୟତର ମହନପଲ୍ଲୀ, ଜଗନ୍ନାଥପ୍ରସାଦ ବ୍ଲକ୍ କାଦୁଅ ପଂଚାୟତର ଜୋଡାବନ୍ଧ,ପାତ୍ରପୁର ବ୍ଲକ୍ ତୁରୁବୁଡି ପଂଚାୟତର ଜଗନ୍ନାଥପୁର, ପୋଲସରା ବ୍ଲକ୍ ବଡପାନକଳାବାଡି ପଂଚାୟତର ଚଣ୍ଡିରାମଚନ୍ଦ୍ରପୁର, ପୁରୁଷୋତମପୁର ବ୍ଲକ୍ ଟଙ୍କଛାଇ ପଂଚାୟତର ଗୁଣ୍ଡୁରିବାଡି, ବଡବରଗାଁ ପଂଚାୟତର ତେନ୍ତୁଳିଆ, ଶେରଗଡ ବ୍ଲକ୍ କୃଷ୍ଣଚାଇ ପଂଚାୟତ କଂଚାଖଣ୍ଡି, ଗୋବିନ୍ଦପୁର ପଂଚାୟତର ବଳିଆରସିଂଗପୁର ଓ ସୋରଡା ବ୍ଲକ୍ ଭଗବାନପୁର ପଂଚାୟତର ମଣିକତି ଏଭଳି ଗାଁ ଭିତିଭୂମି ବିକାଶ ପାଇଁ ଚିହ୍ନଟ ହୋଇଛି ।


