ଅସୁରକ୍ଷିତ ଅବସ୍ଥାରେ ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ
ନାଉଗାଁ, ୧୦।୭(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ରହିଛି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ । ଏହି ଶିକ୍ଷା କାଯ୍ୟାଳୟଟି ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟାଳୟଟି ବର୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି । ଏପରିକି ସାମାନ୍ୟ ବର୍ଷା ହେଲେ କାର୍ଯ୍ୟାଳୟ ଛାତରୁ ପାଣି ଗଳୁଛି । ଯାହାଫଳରେ କାର୍ଯ୍ୟାଳୟରେ ବସି କାର୍ଯ୍ୟ କରିବା ସମ୍ଭବ ହୋଇ ପାରୁନାହିଁ । ବ୍ଲକରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକର ସମସ୍ତ କାଗଜପତ୍ର ଏହି କାର୍ଯ୍ୟାଳୟ ମାଧ୍ୟମରେ କରାଯାଇଥାଏ । ସର୍ବଶିକ୍ଷା ଅଭିଯାନ ହେଉ କିମ୍ବା ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ମଧ୍ୟାହ୍ନ ଭୋଜନ, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କର ବିଭିନ୍ନ ତଥ୍ୟ ଏବଂ କାର୍ଯ୍ୟାଳୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଆଦି ଏହି କାର୍ଯ୍ୟାଳୟରେ ରହିଥାଏ । କାର୍ଯ୍ୟାଳୟରେ ଅନଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଯାଉଥିବା ବେଳେ ଛାତରୁ ପାଣି ଗଳିବା ଦ୍ବାରା କମ୍ପ୍ୟୁଟର ଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଛି । ଦୀର୍ଘ ୪ ବର୍ଷ ହେବ କାର୍ଯ୍ୟାଳୟ ମରାମତି ହୋଇ ନଥିବାରୁ ଛାତରୁ ପାଣି ଗଳି କାର୍ଯ୍ୟାଳୟରେ ପାଣି ଜମି ରହୁଛି । ହେଲେ ଏଥିପ୍ରତି କାହାର ନଜର ପଡ଼ୁ ନାହିଁ । କାର୍ଯ୍ୟାଳୟର ମରାମତି ପାଇଁ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିଙ୍କ କାର୍ଯ୍ୟାଳୟକୁ ରକ୍ଷଣାବେକ୍ଷଣ ବାବଦକୁ ବିଭିନ୍ନ ଫଣ୍ଡରେ ଅର୍ଥ ଆସିଥିଲେ ମଧ୍ୟ ଉକ୍ତ କାର୍ଯ୍ୟ କରାଯାଉନାହିଁ । ହେଲେ ସେ ଅର୍ଥ କେଉଁଥିରେ ଖର୍ଚ ହୋଇଛି, ତାହା ତଦନ୍ତ ସାପେକ୍ଷ । ଏପରିକି ସମଗ୍ର ଶିକ୍ଷା ଅଭିଯାନରୁ ଗତ ଅପ୍ରେଲ ମାସରୁ ୨ଲକ୍ଷ ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯାଉନାହିଁ । ଆଗକୁ ବର୍ଷା ଦିନ ଜାରି ରହିଥିବା ବେଳେ ପ୍ରବଳ ବର୍ଷା ହେଲେ କାର୍ଯ୍ୟାଳୟ ମଧ୍ୟରେ ବସି କାର୍ଯ୍ୟ କରିବା ସମ୍ଭବ ହେଉ ନାହିଁ ବୋଲି କେତେକ କର୍ମଚାରୀ କହିଛନ୍ତି । ଏବିଷୟରେ ବ୍ଲକ ଶିକ୍ଷାଧିକାରୀ ଦିଲିପ କୁମାର ବଡପଣ୍ଡାଙ୍କୁ ପଚାରିବାରେ ସେ ନୂଆ ଆସିଛନ୍ତି, କଣ୍ଟିଜେନସି ଅର୍ଥ କାର୍ଯ୍ୟାଳୟ ଥିବା ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ନିଅଂଟ ପଡ଼ୁଥିବା କହିଥିଲେ । ଏବିଷୟରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୁନମ ବିଶ୍ବାଳଙ୍କୁ ପଚାରିବାରେ କାର୍ଯ୍ୟାଳୟ ମରାମତି ପାଇଁ ଅନୁଦାନ ଆସିଛି କିନ୍ତୁ ଠିକାଦାର କାର୍ଯ୍ୟ କରିବାରେ ବିଳମ୍ବ କରୁଥିବା କହିଛନ୍ତି।


