ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ଵାରା ଜବତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଗିରଫ ହେବା ସହ 21 କିଲୋ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଚୋରା ଗଞ୍ଜେଇ ଓ ମଦ କାରବାର ବିରୁଦ୍ଧରେ ବ୍ୟାପକ ଚଢଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ଚାନ୍ଦିପୁଟ ହାଟ ନିକଟରେ ସେହି ଗ୍ରାମର କମଳ ନାୟକ (38) ସନ୍ଦେହଜନକ ଭାବେ ବସକୁ ଅପେକ୍ଷା କରିଥିବା ବେଳେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ରା.ଉଦୟଗିରି ଓ ମୋହନା ଅବକାରୀ ବିଭାଗ ପକ୍ଷରୁ ତାଲାସି କରାଯାଇଥିଲା. ଏଥିରେ କମଳା ନାୟକଙ୍କ ଜରି ବ୍ୟାଗକୁ ଖୋଲିବାରେ ସେଥିରେ ଗଞ୍ଜେଇ ଥିବା ଦେଖା ଯାଇଥିଲା. ଏହାପରେ ଏହି ଗଞ୍ଜେଇକୁ ଓଜନ କରିବାରେ ବସ୍ତାରେ 21 କିଲୋ ଗଞ୍ଜେଇ ରହିଥିଲା. ଘଟଣା ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ କରିବା ପରେ ଜଣାଗଲାଯେ, କମଳ ନାୟକ ଚାନ୍ଦିପୁଟରୁ ବସ ଯୋଗେ ବ୍ରହ୍ମପୁର ଯାଇ ସେଠାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ଥିଲା. ଘଟଣା ନେଇ ଅଭିଯୁକ୍ତ କମଳକୁ ଗିରଫ କରାଯାଇ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


