ଲଣ୍ଡନରେ ଓଡ଼ିଆ ଚଳଚିତ୍ର ପ୍ରଦର୍ଶନ
ଭଦ୍ରକ, (ଚାନ୍ଦିନୀ ମହାନ୍ତି) : ଲଣ୍ଡନରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ବର ବଧୂ ‘ । ୟୁନାଇଟେଡ୍ କିଙ୍ଗଡମ୍ ଏବଂ ଆୟରଲ୍ୟାଣ୍ଡରେ ବସବାସ କରୁଥିବା ଓଡ଼ିଆମାନେ ଏକାଠି ହୋଇ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ। ଏହି ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ “କନେକ୍ଟ ଭାୟା ମିଡିଆ”ର ନିର୍ଦ୍ଦେଶକ ତରୁଣ ଦାସଙ୍କ ନେତୃତ୍ୱରେ କରାଯାଇଥିଲା। ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଆ ସିନେମା, ଭାଷା ଓ ସଂସ୍କୃତି ସହ ଯୋଡ଼ି ରଖିବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଇଥିଲା। ଲଣ୍ଡନର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ପ୍ରବାସୀ ଓଡ଼ିଆ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ରକୁ ପ୍ରଶଂସା କରିଥିଲେ। ଚଳଚ୍ଚିତ୍ର ପ୍ରଦର୍ଶନ ସହ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଏକ ଆନ୍ତରିକ ମିଳନର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଅବସରରେ କନେକ୍ଟ ଭାୟା ମିଡିଆର ନିର୍ଦ୍ଦେଶକ ତରୁଣ ଦାସ କହିଥିଲେ ଯେ, ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ନିଜ ମାଟି, ଭାଷା, ସଂସ୍କୃତି ଏବଂ ଓଡ଼ିଆ ସିନେମା ସହ ଯୋଡ଼ି ରଖିବା ହିଁ କନେକ୍ଟ ଭାୟା ମିଡିଆର ମୂଳ ଉଦ୍ଦେଶ୍ୟ। ଆଗାମୀ ଦିନରେ ମଧ୍ୟ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସ୍କ୍ରିନିଂ, ଓଡ଼ିଶାର ପର୍ବପର୍ବାଣୀ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯୁକ୍ତରାଜ୍ୟ ଓ ଆୟରଲାଣ୍ଡ ଦେଶରେ ଓଡ଼ିଆ ସିନେମା ପ୍ରତି ବଢ଼ୁଥିବା ଆଗ୍ରହ ଏବଂ ଏଭଳି ସାଂସ୍କୃତିକ ପଦକ୍ଷେପ ପ୍ରବାସୀ ଓଡ଼ିଆ ସମାଜକୁ ଆହୁରି ଏକତ୍ରିତ କରିବାରେ ସହାୟକ ହେଉଛି।


