ଲଘୁଚାପ ବର୍ଷାରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ, ପ୍ରତିକାର ଦାବୀ କଲେ ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି): ଲଘୁଚାପ ଚାପ ବର୍ଷାରେ ବନ୍ତ ତହସିଲ ନିଳୋକ ପଞ୍ଚାୟତ ଅଧିନ ଭଣ୍ଡାରଗଢିଆ, ସାହାଡ଼ାପଲ୍ଲୀ, ବେଗନା, ବାଲିଗଢିଆ, ମନହରପୁର ଆଦି ଗ୍ରାମର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଧାନ ତଳି ନଷ୍ଟ ହୋଇଥିବା ଜଣାଯାଇଛି l ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ହେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି l ପ୍ରକାଶ ଯେ’ବନ୍ତ ତହସିଲ ଅଧିନ ହାଟଡିହି ଶାଖା କେନାଲ ଓ ନିଳୋକ-ଛତାବର ପୂର୍ତ୍ତ ବିଭାଗ ରାସ୍ତା ମଝିରେ ଭଣ୍ଡାରଗଢିଆ, ସାହାଡ଼ାପଲ୍ଲୀ, ବେଗନା, ମନହରପୁର ଆଦି ଗ୍ରାମର ଚାଷୀ ମାନଙ୍କର ଶହ ଶହ ଏକର ଚାଷ ଜମି ରହିଛି l ବର୍ଷା ଦିନେ ଏସମସ୍ତ ଜମିର ବର୍ଷା ଜଳ ସାହାଡ଼ାପଲ୍ଲୀ ଛକ ଠାରେ ବସି ଥିବା ହୋମ ପାଇପ ଜରିଆରେ ନିଷ୍କାସିତ ହୋଇ ବାଲିଗଢିଆ ଦେଇ ନିକଟସ୍ଥ ରେବ ନଦୀକୁ ଯାଇଥାଏ l ମାତ୍ର ଗତ ୨ ବର୍ଷ ତଳେ ନିଳୋକ-ଛତାବର ରାସ୍ତା ଉନ୍ନତିକରଣ ସମୟରେ ସାହାଡ଼ାପଲ୍ଲୀ ଛକ ଠାରେ ବସିଥିବା ହୋମ ପାଇପର ଜଳ ନିଷ୍କାସନ କ୍ଷମତା ବୃଦ୍ଧି କରାଯାଇନଥିଲା କି ରାସ୍ତା ପାର୍ଶ୍ଵରେ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା ହୋଇନଥିଲା l ଫଳରେ ବର୍ଷା ଦିନେ ବାରମ୍ବାର ଏଭଳି ସମସ୍ୟା ଦେଖିବାକୁ ମିଳୁଛି l ଗତ ୨/୩ ଦିନ ହେବ ଲଘୁଚାପ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇ ରହିବା ସହ ଧାନ ତଳି ସବୁ ନଷ୍ଟ ହୋଇଯାଇଛି l ଏଥିନେଇ ଚାଷୀ ମାନେ ବ୍ଲକ ଓ ଜିଲା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ତେବେ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କରିବାକୁ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି,ଚାଷୀ ସନାତନ ବାରିକ, ବସନ୍ତ କୁମାର ପଣ୍ଡା,ଭରତ ନାୟକ, ମହେଶ୍ୱର ବାରିକ,ଧରଣୀ ନାୟକ, ଶତୃଘ୍ନ ନାୟକ, ଗଣେଶ ପଣ୍ଡା, ଗୋପୀନାଥ ପଣ୍ଡା, ଅଭିମନ୍ୟୁ ରାଉତ, ପଙ୍କଜ କୁମାର ଲେଙ୍କା, ନବ କୁମାର ଲେଙ୍କା, ଦୀନବନ୍ଧୁ ନାୟକଙ୍କ ସମେତ ଶତାଧିକ ଚାଷୀ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ